୫ ଜିଲ୍ଲାରେ ୨୮ ଓ ୨୯ ତାରିଖ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି ବନ୍ଦ
୬୦ଟି ଓଡ୍ରାଫ୍, ୧୭ଟି NDRF ଓ ୨୨୫ଟି ଅଗ୍ନିଶମ ଦଳ ସଜାଗ
ଭୁବନେଶ୍ୱର, ୨୪ ଅକ୍ଟୋବର ୨୦୨୬: ରାଜ୍ୟକୁ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି। ବାତ୍ୟା ପରିସ୍ଥିତିରେ ଜନଜୀବନର ସୁରକ୍ଷା ସହ ଜିରୋ କାଜୁଆଲ୍ଟି ଲକ୍ଷ୍ୟ ହାସଲ କରିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ଶନିବାର ଲୋକସେବା ଭବନରେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ନେଇ ସମୀକ୍ଷା ବୈଠକ କରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ଏଥର ମଧ୍ୟ ରାଜ୍ୟ ସରକାର ଜିରୋ କାଜୁଆଲ୍ଟି ଲକ୍ଷ୍ୟ ହାସଲ କରିବେ ବୋଲି ଆଶା ରହିଛି। ପୂର୍ବରୁ ବିଭିନ୍ନ ବାତ୍ୟା ଓ ବନ୍ୟାର ସଫଳ ମୁକାବିଲା କରାଯାଇଛି। ବାତ୍ୟା ‘ଦାନା’ ଓ ‘ମୋନ୍ଥା’ର ମୁକାବିଲା ଅଭିଜ୍ଞତାକୁ ଆଧାର କରି ଏଥର ମଧ୍ୟ ସମସ୍ତ ବିଭାଗ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବେ।
୨୮ ତାରିଖରେ ସ୍ଥଳଭାଗ ଛୁଇଁବା ସମ୍ଭାବନା
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ସମ୍ଭାବ୍ୟ ବାତ୍ୟା ଅକ୍ଟୋବର ୨୮ ତାରିଖରେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ମଧ୍ୟବର୍ତ୍ତୀ ଅଞ୍ଚଳରେ ସ୍ଥଳଭାଗ ଛୁଇଁପାରେ। ତେବେ ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବାର ଅଧିକ ସମ୍ଭାବନା ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।
ବାତ୍ୟା ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୮୦ରୁ ୯୦ କିଲୋମିଟର ବେଗରେ ପବନ ବହିପାରେ। ବିଶେଷକରି ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି।
୫ ଜିଲ୍ଲାରେ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି ବନ୍ଦ
ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଅକ୍ଟୋବର ୨୮ ଓ ୨୯ ତାରିଖରେ ସ୍କୁଲ, କଲେଜ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ଅନ୍ୟ ଜିଲ୍ଲାଗୁଡ଼ିକରେ ପାଣିପାଗ ଓ ସ୍ଥାନୀୟ ପରିସ୍ଥିତିକୁ ଦେଖି ସ୍କୁଲ ଓ କଲେଜ ଛୁଟି ନେଇ ସମ୍ପୃକ୍ତ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବେ।
ମୁତୟନ ହେବେ ୬୦ଟି ଓଡ୍ରାଫ୍ ଓ ୧୭ଟି NDRF ଟିମ୍
ବାତ୍ୟା ମୁକାବିଲା ପାଇଁ ପ୍ରଶାସନିକ ସ୍ତରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପ୍ରାୟ ୬୦ଟି ଓଡ୍ରାଫ୍ ଟିମ୍, ୧୭ଟି NDRF ଟିମ୍ ଏବଂ ୨୨୫ଟି ଅଗ୍ନିଶମ ଦଳକୁ ସଜାଗ ରଖାଯାଇଛି। ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀଗୁଡ଼ିକୁ ପ୍ରସ୍ତୁତ ରଖାଯାଇଛି।
ବିଶେଷକରି ରୋଗୀ, ଗର୍ଭବତୀ ମହିଳା ଓ ଅନ୍ୟ ଅସହାୟ ବ୍ୟକ୍ତିଙ୍କୁ ଆବଶ୍ୟକ ପଡ଼ିଲେ ସୁରକ୍ଷିତ ଭାବେ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରିବା ଉପରେ ଗୁରୁତ୍ୱ ଦିଆଯାଇଛି।
ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନ ଯିବାକୁ ପରାମର୍ଶ
ସମ୍ଭାବ୍ୟ ବାତ୍ୟାକୁ ନେଇ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ସତର୍କ କରାଯାଇଛି। ପ୍ରଭାବିତ ଅଞ୍ଚଳର ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ସାପ କାମୁଡ଼ା ଚିକିତ୍ସା ପାଇଁ ଇଞ୍ଜେକ୍ସନ୍, ଔଷଧ ଓ ଆବଶ୍ୟକ ଚିକିତ୍ସା କିଟ୍ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ବାତ୍ୟା ପରେ ରାସ୍ତାଘାଟରେ ପଡ଼ି ଯାତାୟାତରେ ବାଧା ସୃଷ୍ଟି କରୁଥିବା ଗଛଗୁଡ଼ିକୁ ତୁରନ୍ତ ହଟାଇବା ଏବଂ ବିଦ୍ୟୁତ୍ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବାର ପୁନଃସ୍ଥାପନ ପାଇଁ ସମ୍ପୃକ୍ତ ଇଞ୍ଜିନିୟରିଂ ବିଭାଗଗୁଡ଼ିକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି।
ଚାଷୀଙ୍କୁ ଫସଲ ସୁରକ୍ଷିତ ରଖିବାକୁ ପରାମର୍ଶ
ଅମଳ ସମୟ ପାଖେଇ ଆସୁଥିବାରୁ ଚାଷୀମାନଙ୍କୁ ଆଗୁଆ ସତର୍କ କରାଇବା ସହ ପ୍ରସ୍ତୁତ ଫସଲ କାଟି ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ସଚେତନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ସମସ୍ତ ସମ୍ପୃକ୍ତ ବିଭାଗ ମଧ୍ୟରେ ସମନ୍ୱୟ ରଖି ‘ହୋଲ୍ ଅଫ୍ ଗଭର୍ଣ୍ଣମେଣ୍ଟ ଆପ୍ରୋଚ୍’ ଆଧାରରେ ବାତ୍ୟା ମୁକାବିଲା କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
ଏହି ସମୀକ୍ଷା ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସମେତ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଅଗ୍ନିଶମ ଡିଜି, ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ପ୍ରମୁଖ ଶାସନ ସଚିବ, ସ୍ୱାସ୍ଥ୍ୟ ସଚିବ, ସ୍ୱତନ୍ତ୍ର ରିଲିଫ୍ କମିଶନର (SRC)ଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
