ଫୁଲବାଣୀ: କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକରେ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଗ୍ରାମ୍ୟ ରାସ୍ତାର ସ୍ଥିତି ଅନୁଧ୍ୟାନ କରିଛନ୍ତି ଗ୍ରାମ୍ୟ ଉନ୍ନୟନ ବିଭାଗର ଦୁଇ ମୁଖ୍ୟଯନ୍ତ୍ରୀ। ଫୁଲବାଣୀ ଡିଭିଜନ୍ ଅନ୍ତର୍ଗତ ମାଣ୍ଡାସାରୁକୁ ସଂଯୋଗ କରୁଥିବା ବନ୍ୟା କ୍ଷତିଗ୍ରସ୍ତ ରାସ୍ତାକୁ ସେମାନେ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି।
ଏହି ଅନୁଧ୍ୟାନ ସମୟରେ ମୁଖ୍ୟଯନ୍ତ୍ରୀ (ବିଲ୍ଡିଂ ଆଣ୍ଡ ବ୍ରିଜ୍) ଏବଂ ମୁଖ୍ୟଯନ୍ତ୍ରୀ (ରାସ୍ତା)ଙ୍କ ସହ ଫୁଲବାଣୀ ଗ୍ରାମ୍ୟ ନିର୍ମାଣ ଡିଭିଜନର ଯନ୍ତ୍ରୀ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।
ବନ୍ୟାଜଳ ହ୍ରାସ ପାଇବା ପରେ ରାସ୍ତାର ଭାଙ୍ଗିଯାଇଥିବା ଅଂଶଗୁଡ଼ିକର ତୁରନ୍ତ ମରାମତି କରି ଯାତାୟାତ ସ୍ୱାଭାବିକ କରିବାକୁ ମୁଖ୍ୟଯନ୍ତ୍ରୀମାନେ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଏଥିସହ ଭବିଷ୍ୟତରେ ଏଭଳି ବନ୍ୟାଜନିତ କ୍ଷୟକ୍ଷତିକୁ ରୋକିବା ସହ ରାସ୍ତାର ସ୍ଥାୟୀ ପୁନରୁଦ୍ଧାର ପାଇଁ ଉକ୍ତ ସ୍ଥାନରେ ଏକ ଛୋଟ ପୋଲ ନିର୍ମାଣ କରିବା ନିମନ୍ତେ ପ୍ରସ୍ତାବ ପ୍ରସ୍ତୁତ କରିବାକୁ ମଧ୍ୟ ଅଧିକାରୀମାନଙ୍କୁ କୁହାଯାଇଛି।
