ରାଜନୀତି ରାଜ୍ୟ ଶିକ୍ଷା

ମନ୍ତ୍ରୀଙ୍କ ସହ ଆଲୋଚନା ପରେ ବି ସନ୍ତୁଷ୍ଟ ନୁହନ୍ତି ଶିକ୍ଷକ

Spread the love

୨୧ ଦିନରେ ପହଞ୍ଚିଲା ଧାରଣା, ସନ୍ଧ୍ୟାରେ ବସିବ କୋର କମିଟି

ଭୁବନେଶ୍ୱର: ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଦାବିକୁ ନେଇ ସରକାରଙ୍କ ସହ ବାରମ୍ବାର ଆଲୋଚନା ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଠୋସ୍‌ ନିଷ୍ପତ୍ତି ବାହାରି ପାରିନାହିଁ। ଆଜି ମନ୍ତ୍ରୀଙ୍କ ସହ ଆଲୋଚନା ପରେ ମଧ୍ୟ ଶିକ୍ଷକମାନେ ସନ୍ତୁଷ୍ଟ ହୋଇନଥିବା ଜଣାପଡ଼ିଛି।

ଶିକ୍ଷକ ସଂଘର କହିବା ଅନୁସାରେ, ଆଜିର ଆଲୋଚନାରେ ମନ୍ତ୍ରୀଙ୍କ ପକ୍ଷରୁ ଦାବି ପୂରଣ ନେଇ କୌଣସି ସ୍ପଷ୍ଟ କିମ୍ବା ଠୋସ୍‌ ପ୍ରତିଶ୍ରୁତି ମିଳିନାହିଁ। ସମସ୍ତ ଦାବି ଉପରେ କମିଟି ନିଷ୍ପତ୍ତି ନେବ ଏବଂ ଏହି ପ୍ରକ୍ରିୟା ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ଥିବା କୁହାଯାଇଛି।

ତେବେ କମିଟି ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସମସ୍ୟାକୁ ଠିକ୍‌ ଭାବେ ବୁଝୁନଥିବା ଅଭିଯୋଗ କରିଛି ଶିକ୍ଷକ ସଂଘ। ଏପଟେ ଦାବି ପୂରଣ ନେଇ ଆନ୍ଦୋଳନ ଜାରି ରହିଛି। ଇତିମଧ୍ୟରେ ଶିକ୍ଷକମାନଙ୍କ ଧାରଣା ୨୧ ଦିନରେ ପହଞ୍ଚିଛି।

ଗୁରୁଦିବସ ପୂର୍ବରୁ ସରକାର ଶିକ୍ଷକମାନଙ୍କ ଦାବି ଉପରେ ସକାରାତ୍ମକ ପଦକ୍ଷେପ ନେବେ ବୋଲି ଆଶା କରିଥିଲେ ଆନ୍ଦୋଳନରତ ଶିକ୍ଷକମାନେ। ହେଲେ ଏପର୍ଯ୍ୟନ୍ତ ସେଭଳି କୌଣସି ସମାଧାନ ବାହାରି ନଥିବାରୁ ଅସନ୍ତୋଷ ଜାରି ରହିଛି।

ଶିକ୍ଷକ ସମନ୍ୱୟ ସମିତି ପକ୍ଷରୁ କୁହାଯାଇଛି ଯେ, ଆଜି ସନ୍ଧ୍ୟା ୬ଟା ପରେ ସମନ୍ୱୟ ସମିତିର କୋର କମିଟି ବୈଠକ ବସିବ। ବୈଠକରେ ଆଜିର ଆଲୋଚନା ଏବଂ ସରକାରଙ୍କ ଆଭିମୁଖ୍ୟ ଉପରେ ଆଲୋଚନା କରାଯାଇ ପରବର୍ତ୍ତୀ ରଣନୀତି ନେଇ ନିଷ୍ପତ୍ତି ନିଆଯିବ।

ଏନେଇ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ସାଧାରଣ ସମ୍ପାଦକ ସୁକାନ୍ତ କୁମାର ବେହେରା କହିଛନ୍ତି ଯେ, ବାରମ୍ବାର ଆଲୋଚନା ସତ୍ତ୍ୱେ ଏପର୍ଯ୍ୟନ୍ତ ଠୋସ୍‌ ନିଷ୍ପତ୍ତି ଆସିନାହିଁ। କୋର କମିଟି ବୈଠକ ପରେ ଆନ୍ଦୋଳନର ପରବର୍ତ୍ତୀ ଦିଗ ନିର୍ଦ୍ଧାରଣ କରାଯିବ।

 

Leave a Reply

Your email address will not be published. Required fields are marked *