ଭୁବନେଶ୍ୱର: ଶେଷ ହୋଇଛି ବିଜେପିର ଦୁଇ ଦିନିଆ କାର୍ଯ୍ୟକାରିଣୀ ବୈଠକ। ଆଗାମୀ ଦିନରେ ଦଳର ରାଜନୈତିକ କାର୍ଯ୍ୟକ୍ରମ ଓ ରଣନୀତିକୁ ନେଇ ବୈଠକରେ ରାଜନୈତିକ ଚିଠା ପ୍ରସ୍ତାବ ପାରିତ ହୋଇଥିବା ବେଳେ ବିଭିନ୍ନ ପ୍ରସଙ୍ଗରେ ନିନ୍ଦା ପ୍ରସ୍ତାବ ମଧ୍ୟ ଗୃହୀତ ହୋଇଛି।
କେନ୍ଦ୍ରରେ କଂଗ୍ରେସ ଓ ବିଜେଡିର ଆଭିମୁଖ୍ୟକୁ ନେଇ କାର୍ଯ୍ୟକାରିଣୀରେ ଆଲୋଚନା ହୋଇଥିବା ବେଳେ ବିରୋଧୀ ଦଳଙ୍କ ଆଚରଣକୁ ନେଇ ନିନ୍ଦା ପ୍ରସ୍ତାବ ଆସିଥିବା ଦଳ ପକ୍ଷରୁ କୁହାଯାଇଛି।
୭.୮% ଜିଡିପିକୁ ନେଇ କଂଗ୍ରେସକୁ ଟାର୍ଗେଟ୍
ଦେଶର ଜିଡିପି ଅଭିବୃଦ୍ଧି ୭.୮ ପ୍ରତିଶତ ଥିବାବେଳେ ରାହୁଲ ଗାନ୍ଧୀ ଓ ବିରୋଧୀ ଦଳ ଏହାକୁ ନେଇ ଭ୍ରମାତ୍ମକ ତଥ୍ୟ ଦେଉଥିବା ବିଜେପି ଅଭିଯୋଗ କରିଛି। ଏହି ପ୍ରସଙ୍ଗରେ ମଧ୍ୟ କାର୍ଯ୍ୟକାରିଣୀରେ ଆଲୋଚନା ହୋଇଥିବା ଜଣାପଡ଼ିଛି।
ଏହା ସହିତ ପୂର୍ଣ୍ଣାଙ୍ଗ ‘ବନ୍ଦେ ମାତରମ୍’କୁ ବିରୋଧ, ମହିଳା ଆରକ୍ଷଣ ବିଲ୍କୁ ବିରୋଧ ଏବଂ ‘ଦିମାଗୀ ନକ୍ସଲ’ ଶବ୍ଦକୁ ନେଇ କଂଗ୍ରେସ ପକ୍ଷରୁ ହୋଇଥିବା ପ୍ରଚାର ଉପରେ ମଧ୍ୟ ବିଜେପି ପକ୍ଷରୁ ନିନ୍ଦା ପ୍ରସ୍ତାବ ଆଣାଯାଇଥିବା କୁହାଯାଇଛି।
ଏମଏମଡିଆର ସଂଶୋଧନକୁ ନେଇ ବିଜେଡିକୁ ନିଶାନା
ଏମଏମଡିଆର ସଂଶୋଧନକୁ ନେଇ ବିଜେଡି ପକ୍ଷରୁ ହେଉଥିବା ଅପପ୍ରଚାର ଅଭିଯୋଗକୁ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଛି। ଏହି ପ୍ରସଙ୍ଗରେ ମଧ୍ୟ ନିନ୍ଦା ପ୍ରସ୍ତାବ ଆସିଥିବା ଦଳ ପକ୍ଷରୁ କୁହାଯାଇଛି।
ସେହିପରି ଏଫସିଆରଆଇ ଚର୍ଚ୍ଚାରେ ଯେଉଁମାନେ ବାଧା ସୃଷ୍ଟି କରିଥିଲେ, ସେହି ପ୍ରସଙ୍ଗକୁ ନେଇ ମଧ୍ୟ କାର୍ଯ୍ୟକାରିଣୀରେ ନିନ୍ଦା ପ୍ରସ୍ତାବ ଆସିଛି।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ
ଅନ୍ୟପଟେ କେନ୍ଦ୍ର ସରକାର ଓ ଓଡ଼ିଶା ସରକାରଙ୍କ ବିଭିନ୍ନ କାର୍ଯ୍ୟକୁ ନେଇ ଧନ୍ୟବାଦ ପ୍ରସ୍ତାବ ମଧ୍ୟ ପାରିତ ହୋଇଛି। ଆଗାମୀ ଦିନରେ ଦଳର ସାଙ୍ଗଠନିକ ଓ ରାଜନୈତିକ କାର୍ଯ୍ୟକ୍ରମକୁ କିଭଳି ଆଗକୁ ନିଆଯିବ, ସେନେଇ ରୋଡ୍ମ୍ୟାପ୍ ଉପରେ ମଧ୍ୟ ଆଲୋଚନା ହୋଇଛି।
ବିଏଲ୍ ସନ୍ତୋଷଙ୍କ ନେତୃତ୍ୱରେ ଶେଷ ଦିନର ବୈଠକ
ବୈଠକର ଦ୍ୱିତୀୟ ଦିନରେ ବିଜେପିର ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ୍ ସନ୍ତୋଷ ସାଙ୍ଗଠନିକ ବିଷୟ ଉପରେ ଆଲୋଚନା କରିଥିଲେ। ତାଙ୍କ ଉପସ୍ଥିତିରେ ବୈଠକର ଶେଷ ଅଧିବେଶନ ଅନୁଷ୍ଠିତ ହୋଇଥିଲା।
କାର୍ଯ୍ୟକାରିଣୀରେ ପାରିତ ରାଜନୈତିକ ଚିଠା ଓ ବିଭିନ୍ନ ନିନ୍ଦା ପ୍ରସ୍ତାବ ଆଗାମୀ ଦିନରେ ବିଜେପିର ରାଜନୈତିକ ଆଭିମୁଖ୍ୟ ଓ ବିରୋଧୀଙ୍କ ବିରୋଧରେ ଦଳର ରଣନୀତିର ଦିଗ ସ୍ପଷ୍ଟ କରିବ ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି।
