ପ୍ରତି ୩ ମାସରେ ବାହାରିବ ଜର୍ନାଲ, ରାଜସ୍ୱ ମାମଲା ସମାଧାନରେ ଅଧିକାରୀଙ୍କୁ ମିଳିବ ସହାୟତା: ସୁରେଶ ପୂଜାରୀ
ଭୁବନେଶ୍ୱର: ରାଜସ୍ୱ ଜମିଜମା ସମ୍ପର୍କିତ ମାମଲାର ସମାଧାନ ପାଇଁ ରାଜ୍ୟରେ ଚାଲିଥିବା ନ୍ୟାୟିକ ପ୍ରକ୍ରିୟାକୁ ଆହୁରି ସରଳ ଓ ସୁବ୍ୟବସ୍ଥିତ କରିବା ଦିଗରେ ସରକାର ପଦକ୍ଷେପ ନେଉଛନ୍ତି। ରାଜସ୍ୱ ବିଭାଗର ସର୍ବୋଚ୍ଚ ଅଦାଲତ ଭାବେ ପରିଚିତ ରାଜସ୍ୱ ପରିଷଦର ଗୁରୁତ୍ୱପୂର୍ଣ୍ଣ ରାୟ ଓ ନିଷ୍ପତ୍ତିଗୁଡ଼ିକୁ ଜର୍ନାଲ ଆକାରରେ ପ୍ରକାଶ କରାଯିବ।
ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା ଅନୁସାରେ, ପ୍ରାୟ ୨୫ ବର୍ଷ ଧରି ରାଜସ୍ୱ ପରିଷଦର ଜର୍ନାଲ ପ୍ରକାଶ ପାଇନଥିଲା। ଏବେ ରାଜ୍ୟ ସରକାର ପୁଣି ଏହି ଜର୍ନାଲ ପ୍ରକାଶ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରତି ୩ ମାସରେ ଥରେ ଜର୍ନାଲ ପ୍ରକାଶ ପାଇବ ଏବଂ ବର୍ଷକୁ ମୋଟ ୪ଟି ସଂସ୍କରଣ ବାହାରିବ।
ରାଜସ୍ୱ ପରିଷଦରେ ହେଉଥିବା ଐତିହାସିକ ଓ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିଗୁଡ଼ିକୁ ଲିପିବଦ୍ଧ କରି ଜର୍ନାଲରେ ସ୍ଥାନ ଦିଆଯିବ। ଏହି ଜର୍ନାଲ ରାଜ୍ୟର ସମସ୍ତ ରାଜସ୍ୱ ଅଧିକାରୀଙ୍କୁ ଦିଆଯିବ। ଫଳରେ ବିଭିନ୍ନ ରାଜସ୍ୱ ମାମଲାର ସମାଧାନ ସମୟରେ ଅଧିକାରୀମାନେ ପୂର୍ବ ନିଷ୍ପତ୍ତି ଓ ନ୍ୟାୟିକ ଦୃଷ୍ଟାନ୍ତରୁ ସହାୟତା ପାଇପାରିବେ।
ରାଜସ୍ୱ ପରିଷଦର ନିଜସ୍ୱ ୱେବସାଇଟ ଉନ୍ମୋଚିତ
ଏହାସହ ରାଜସ୍ୱ ପରିଷଦର ନିଜସ୍ୱ ୱେବସାଇଟ ମଧ୍ୟ ଉନ୍ମୋଚନ କରାଯାଇଛି। ୱେବସାଇଟ ମାଧ୍ୟମରେ ସାଧାରଣ ଲୋକେ ବିଭିନ୍ନ ରାଜସ୍ୱ ମାମଲା ସମ୍ପର୍କରେ ତଥ୍ୟ ପାଇପାରିବେ। ରାଜସ୍ୱ ସମସ୍ୟାର ସମାଧାନ ସମ୍ପର୍କିତ ଆବଶ୍ୟକ ତଥ୍ୟ ମଧ୍ୟ ଏହି ଡିଜିଟାଲ ପ୍ଲାଟଫର୍ମରୁ ଜାଣିହେବ।
କେନ୍ଦ୍ରାପଡ଼ା ଓ ବରଗଡ଼ରେ ନୂଆ ରିଭିଜିଓନାଲ କୋର୍ଟ
ରାଜସ୍ୱ ସେବାକୁ ଲୋକଙ୍କ ନିକଟତର କରିବା ପାଇଁ କେନ୍ଦ୍ରାପଡ଼ା ଓ ବରଗଡ଼ରେ ଗୋଟିଏ ଲେଖାଏଁ ରିଭିଜିଓନାଲ କୋର୍ଟ ନିର୍ମାଣ ହୋଇଛି। ଏହି ଦୁଇଟି କୋର୍ଟକୁ ଖୁବଶୀଘ୍ର କାର୍ଯ୍ୟକ୍ଷମ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ପୂର୍ବରୁ ମଧ୍ୟ ବିଭିନ୍ନ ସ୍ଥାନରେ ରିଭିଜିଓନାଲ କୋର୍ଟ ପ୍ରତିଷ୍ଠା କରାଯାଇଛି। ରାଜସ୍ୱ ମାମଲାର ସଂଖ୍ୟା ବଢ଼ିଥିବାରୁ ମାମଲାଗୁଡ଼ିକର ତ୍ୱରିତ ସମାଧାନ ପାଇଁ ତହସିଲଦାରମାନଙ୍କୁ ମଧ୍ୟ ଅଧିକୃତ କରାଯାଇଛି।
ରାଜସ୍ୱ ମାମଲାର ସମାଧାନ ପ୍ରକ୍ରିୟାକୁ ଆହୁରି ସହଜ, ସ୍ୱଚ୍ଛ ଓ ଲୋକାଭିମୁଖୀ କରିବା ସରକାରଙ୍କ ପ୍ରମୁଖ ଲକ୍ଷ୍ୟ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।
