Business Global ଅପରାଧ ଜାତୀୟ ବୈଦେଶିକ ବ୍ୟାପାର ରାଜ୍ୟ ସ୍ୱତନ୍ତ୍ର

ବାଲେଶ୍ୱର ଓରାଙ୍ଗଉଟାନ ଘଟଣାରେ CBI ତଦନ୍ତ ଦାବି

Spread the love

‘ଏହା କେବଳ ରାଜ୍ୟର ସୁରକ୍ଷା ନୁହେଁ, ଦେଶର ତଟ ସୁରକ୍ଷା ଉପରେ ପ୍ରଶ୍ନ’

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳରୁ ଓରାଙ୍ଗଉଟାନ ଉଦ୍ଧାର ଘଟଣାକୁ ନେଇ CBI ତଦନ୍ତ ଦାବି କରିଛନ୍ତି ଗୌତମ ବୁଦ୍ଧ ଦାସ। ଏଭଳି ବିରଳ ଜନ୍ତୁ ସୁଦୂର ଇଣ୍ଡୋନେସିଆ ଅଞ୍ଚଳରୁ ବାଲେଶ୍ୱରର ଭୋଗରାଇକୁ କିପରି ପହଞ୍ଚିଲା, ତାହାର ତଦନ୍ତ ହେବା ଆବଶ୍ୟକ ବୋଲି ସେ କହିଛନ୍ତି।

ଗୌତମ ବୁଦ୍ଧ ଦାସଙ୍କ କହିବା ଅନୁସାରେ, ଘଟଣାକୁ ଇତିମଧ୍ୟରେ ୫ ଦିନ ବିତିଥିଲେ ମଧ୍ୟ ତଦନ୍ତରୁ କୌଣସି ଠୋସ ନିର୍ଯ୍ୟାସ ସାମ୍ନାକୁ ଆସିନାହିଁ। କିଛି ଲୋକଙ୍କୁ ପଚରାଉଚରା କରାଯାଇଥିଲେ ମଧ୍ୟ ଘଟଣା ପଛରେ କିଏ ରହିଛି କିମ୍ବା ଓରାଙ୍ଗଉଟାନକୁ କିଏ କିଣିଥାନ୍ତା, ସେନେଇ ସ୍ପଷ୍ଟ ତଥ୍ୟ ମିଳିନଥିବା ସେ ଅଭିଯୋଗ କରିଛନ୍ତି।

ଉଠିଲା ତିନିଟି ବଡ଼ ପ୍ରଶ୍ନ

ଘଟଣାକୁ ନେଇ ଗୌତମ ବୁଦ୍ଧ ଦାସ ତିନୋଟି ପ୍ରଶ୍ନ ଉଠାଇଛନ୍ତି।

ପ୍ରଥମତଃ, ଇଣ୍ଡୋନେସିଆ ଭଳି ଦୂରସ୍ଥ ଅଞ୍ଚଳରେ ଦେଖାଯାଉଥିବା ଏହି ପ୍ରଜାତିର ଓରାଙ୍ଗଉଟାନ ବାଲେଶ୍ୱରର ଭୋଗରାଇକୁ କିପରି ଆସିଲା?

ଦ୍ୱିତୀୟତଃ, ଏହି ଘଟଣା ପଛରେ କେଉଁମାନେ ଅଛନ୍ତି ଏବଂ କୌଣସି ରାକେଟ୍ କାର୍ଯ୍ୟ କରୁଛି କି ନାହିଁ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ତୃତୀୟତଃ, ଏହି ବିରଳ ଜନ୍ତୁକୁ କିଏ କିଣିବାକୁ ଯାଉଥିଲା, ତାହା ମଧ୍ୟ ଜଣାପଡ଼ିନାହିଁ।

‘ଜାତୀୟ ସୁରକ୍ଷା ସହ ଜଡ଼ିତ ପ୍ରସଙ୍ଗ’

ଏହି ଘଟଣା କେବଳ ରାଜ୍ୟର ସୁରକ୍ଷା ବ୍ୟବସ୍ଥା ନୁହେଁ, ଦେଶର ତଟ ସୁରକ୍ଷା ଉପରେ ମଧ୍ୟ ପ୍ରଶ୍ନ ଉଠାଉଛି ବୋଲି ଗୌତମ ବୁଦ୍ଧ ଦାସ କହିଛନ୍ତି। ଯେଉଁ ରାସ୍ତା ଦେଇ ଏଭଳି ବିରଳ ଜନ୍ତୁ ବାଲେଶ୍ୱର ପର୍ଯ୍ୟନ୍ତ ପହଞ୍ଚିପାରିଲା, ସେହି ରୁଟ୍‌ରେ ଅନ୍ୟ ବଡ଼ ଧରଣର ଚୋରାଚାଲାଣ ହେଉଥିବାର ସମ୍ଭାବନାକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବା ଦରକାର ବୋଲି ସେ ମତ ଦେଇଛନ୍ତି।

ତାଙ୍କ ଅଭିଯୋଗ, ଘଟଣାଟି ଦେଶର ତଟ ସୁରକ୍ଷା ବ୍ୟବସ୍ଥାରେ ଥିବା ସମ୍ଭାବ୍ୟ ତ୍ରୁଟିକୁ ସାମ୍ନାକୁ ଆଣିଛି। ତେଣୁ ଘଟଣାର ଚେର ପର୍ଯ୍ୟନ୍ତ ଯାଇ ତଦନ୍ତ କରିବା ସହ ସମ୍ପୃକ୍ତ ସମସ୍ତଙ୍କୁ ଗିରଫ କରାଯାଉ ବୋଲି ସେ ଦାବି କରିଛନ୍ତି।

ମେରାଇନ୍ ପୋଲିସକୁ ଶକ୍ତିଶାଳୀ କରିବାକୁ ଦାବି

ଘଟଣା ପରେ ରାଜ୍ୟର ସମୁଦ୍ରତଟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବାକୁ ଗୌତମ ବୁଦ୍ଧ ଦାସ ଦାବି କରିଛନ୍ତି। ବିଶେଷକରି ମେରାଇନ୍ ପୋଲିସକୁ ଶକ୍ତିଶାଳୀ କରିବା ସହ ସମସ୍ତ ବୋର୍ଡରରେ ଚେକିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଆବଶ୍ୟକ ବୋଲି ସେ କହିଛନ୍ତି।

ସେହିପରି ବିଭାଗୀୟ ମନ୍ତ୍ରୀ କେବଳ ଟିଭିରେ ବୟାନବାଜି ନକରି ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି।

ସମଗ୍ର ଘଟଣାରେ ଏକ ଉଚ୍ଚସ୍ତରୀୟ ତଦନ୍ତ ସହ CBI ତଦନ୍ତ କରାଗଲେ ଘଟଣା ପଛରେ ଥିବା ରାକେଟ୍‌ର ଚେର ଧରାପଡ଼ିପାରିବ ବୋଲି ଗୌତମ ବୁଦ୍ଧ ଦାସ ମତ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *