୨୦୧୫ର MMDR ସଂଶୋଧନକୁ ନେଇ ବିଭୂତି ଜେନାଙ୍କ ଯୁକ୍ତି, “ରାଜସ୍ୱ ହାନି ହେଉନାହିଁ, ବରଂ ଓଡ଼ିଶା ଅଧିକ ରାଜସ୍ୱ ପାଉଛି”
ଭୁବନେଶ୍ୱର: ଖଣିଜ ସମ୍ପଦ ଓ MMDR (Mines and Minerals (Development and Regulation) Actକୁ ନେଇ ପୁଣିଥରେ ନିଜର ମତ ରଖିଛନ୍ତି ରାଜ୍ୟ ଖଣି ମନ୍ତ୍ରୀ ବିଭୂତି ଜେନା। ଖଣିକୁ ନେଇ ରାଜ୍ୟଗୁଡ଼ିକର ଅଧିକାର କ୍ଷୁର୍ଣ୍ଣ ହୋଇନଥିବା ସେ କହିଛନ୍ତି।
ମନ୍ତ୍ରୀ କହିଛନ୍ତି, ୨୦୧୫ରେ MMDR ଆଇନରେ ସଂଶୋଧନ କରି କେନ୍ଦ୍ର ସରକାର ନୂଆ ବ୍ୟବସ୍ଥା ଆଣିଥିଲେ। ଏହାଦ୍ୱାରା ଓଡ଼ିଶାରେ ପ୍ରାୟ ୯୦ ପ୍ରତିଶତ ଖଣି ନିଲାମ ହୋଇଛି। ନୂଆ ନିୟମ ଫଳରେ ରାଜ୍ୟର ରାଜସ୍ୱ କ୍ଷତି ହେଉନଥିବା ବରଂ ଅଧିକ ରାଜସ୍ୱ ମିଳୁଥିବା ମନ୍ତ୍ରୀ ଦାବି କରିଛନ୍ତି।
“ଆଗରୁ କେତେ ପାଉଥିଲୁ, ଏବେ କେତେ ଅଧିକ ପାଉଛୁ କେହି କହୁନାହାନ୍ତି”
ବିଭୂତି ଜେନା କହିଛନ୍ତି, ଆଗରୁ ରାଜ୍ୟ କେତେ ରାଜସ୍ୱ ପାଉଥିଲା ଏବଂ ବର୍ତ୍ତମାନ ନୂଆ ବ୍ୟବସ୍ଥାରେ କେତେ ଅଧିକ ରାଜସ୍ୱ ପାଉଛି, ସେନେଇ ଆଲୋଚନା କରାଯାଉନାହିଁ। ତାଙ୍କ ମତରେ, ନୂଆ ନିୟମ ଭଲ ଏବଂ ଏହାଦ୍ୱାରା କାହାର ରାଜସ୍ୱ ହାନି ହେଉନାହିଁ।
ମନ୍ତ୍ରୀ ଆହୁରି କହିଛନ୍ତି, “ଓଡ଼ିଶାରେ ଆଗରୁ କେଉଁଠି ଲାଭ ହେଉଥିଲା ଯେ ଏବେ ଏହି ବ୍ୟବସ୍ଥା ଦ୍ୱାରା କ୍ଷତି ହେଲା, ତାହା ଆଗେ କୁହନ୍ତୁ।”
ବିରୋଧୀଙ୍କ ଅଭିଯୋଗକୁ ନେଇ ମନ୍ତ୍ରୀଙ୍କ ଟାର୍ଗେଟ୍
MMDRକୁ ନେଇ ହେଉଥିବା ଆଲୋଚନା ଉପରେ ମନ୍ତ୍ରୀ କହିଛନ୍ତି ଯେ ଏଭଳି ଅଭିଯୋଗ ମାଧ୍ୟମରେ ଲୋକଙ୍କୁ ଭ୍ରମିତ କରାଯାଉଛି। ଏହା ପଛରେ ରାଜନୀତି କରିବାର ସ୍ୱଭାବ ରହିଥିବା ସେ ଅଭିଯୋଗ କରିଛନ୍ତି।
ସେହିପରି ୨୦୦୪ରେ ଆସିଥିବା Orissa Mining Corporation ସମ୍ପର୍କିତ ଆଇନ/ବ୍ୟବସ୍ଥା ଏବେ ମଧ୍ୟ ବଳବତ୍ତର ରହିଛି ବୋଲି ମନ୍ତ୍ରୀ କହିଛନ୍ତି। ଏହି ପ୍ରସଙ୍ଗ ବର୍ତ୍ତମାନ କୋର୍ଟରେ ବିଚାରାଧୀନ ଥିବା ମଧ୍ୟ ସେ ସୂଚନା ଦେଇଛନ୍ତି।
