ପ୍ରଭାବିତ ଜିଲ୍ଲାରେ ୪ ଆଇଏଏସ୍ ଅଧିକାରୀ ନିଯୁକ୍ତ, କ୍ଷତିପୂରଣ ଓ ଭିତ୍ତିଭୂମି ମରାମତିକୁ ଗୁରୁତ୍ୱ
ଭୁବନେଶ୍ୱର, ନଭେମ୍ବର ୩: ବାତ୍ୟା ‘ଅର୍ଣ୍ଣବ’ ଓ ଏହା ପରବର୍ତ୍ତୀ ବନ୍ୟା ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତି, ରିଲିଫ୍ ବ୍ୟବସ୍ଥା ଏବଂ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ। ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ କ୍ଷୟକ୍ଷତି ଆକଳନ, ପ୍ରଭାବିତଙ୍କୁ କ୍ଷତିପୂରଣ ପ୍ରଦାନ ଏବଂ କ୍ଷତିଗ୍ରସ୍ତ ଭିତ୍ତିଭୂମିର ମରାମତି କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ସେ ଗୁରୁତ୍ୱ ଦେଇଛନ୍ତି।
ବାତ୍ୟା ‘ମୁରାସୁ’ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ, ବାତ୍ୟାଟି ଆନ୍ଧ୍ରପ୍ରଦେଶରେ ପ୍ରବେଶ କରି ବିଜୟୱାଡା ଅଞ୍ଚଳ ଦେଇ ଆଗକୁ ବଢ଼ୁଛି। ଏହା ତେଲେଙ୍ଗାନା ଆଡ଼କୁ ଗତି କରୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ଓଡ଼ିଶାର କୌଣସି ଜିଲ୍ଲାରେ ଏହାର ବିଶେଷ ପ୍ରଭାବ ପଡ଼ିନାହିଁ। ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୨ ମିମି ବର୍ଷା ହୋଇଥିବା ବେଳେ ପୁରୀରେ ସର୍ବାଧିକ ୧୨ ମିମି ବର୍ଷା ରେକର୍ଡ ହୋଇଛି।
ବାତ୍ୟା ଓ ବନ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ପ୍ରଭାବିତ ଜିଲ୍ଲାଗୁଡ଼ିକରୁ ମୋଟ ପ୍ରାୟ ୧ ଲକ୍ଷ ୬୫ ହଜାର ୮୦୯ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏଥିମଧ୍ୟରେ ଗଞ୍ଜାମରୁ ୧,୫୨,୦୧୦ ଜଣ, ଗଜପତିରୁ ୬୨୦, ମାଲକାନଗିରିରୁ ୫,୦୭୩, କୋରାପୁଟରୁ ୧,୧୦୧, କନ୍ଧମାଳରୁ ୬,୨୬୯ ଏବଂ ରାୟଗଡ଼ାରୁ ୭୩୬ ଜଣ ରହିଛନ୍ତି। ସେହିପରି ଏହି ଜିଲ୍ଲାଗୁଡ଼ିକରେ ୫୯୨ଟି ସ୍ଥାୟୀ ଓ ଅସ୍ଥାୟୀ ଆଶ୍ରୟସ୍ଥଳୀ କାର୍ଯ୍ୟକ୍ଷମ ରହିଛି।
ବିପର୍ଯ୍ୟୟ ମୁକାବିଲା ପାଇଁ ୫୪ଟି ODRAF ଟିମ୍, ୯ଟି NDRF ଟିମ୍ ଏବଂ ୧୦୦ରୁ ଅଧିକ ଅଗ୍ନିଶମ ସେବା ଟିମ୍ ନିୟୋଜିତ ଅଛନ୍ତି। ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ମଧ୍ୟ କ୍ଷେତ୍ରସ୍ତରରେ ରହି ପରିସ୍ଥିତି ଉପରେ ନଜର ରଖିଛନ୍ତି। ପ୍ରଭାବିତ ଅଞ୍ଚଳରେ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିଥିବା ବେଳେ ପରିସ୍ଥିତି ଅନୁଧ୍ୟାନ କରି ଖୋଲିବା ନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେବ।
ଅନ୍ୟପକ୍ଷରେ ବାତ୍ୟା ‘ଅର୍ଣ୍ଣବ’ ଯୋଗୁଁ କ୍ଷତିଗ୍ରସ୍ତ ଘର, ଚାଷଜମି ଓ ବ୍ୟବସାୟ ପାଇଁ ମୁଖ୍ୟମନ୍ତ୍ରୀ କ୍ଷତିପୂରଣ ପ୍ୟାକେଜ୍ ଘୋଷଣା କରିଛନ୍ତି। ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ, ଶକ୍ତି ଓ ଜଳସମ୍ପଦ ବିଭାଗ ପକ୍ଷରୁ କ୍ଷତିଗ୍ରସ୍ତ ରାସ୍ତାଘାଟ ଓ ଅନ୍ୟାନ୍ୟ ଭିତ୍ତିଭୂମିର ମରାମତି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି।
କ୍ଷୟକ୍ଷତି ଆକଳନ ଓ ପୁନରୁଦ୍ଧାର କାର୍ଯ୍ୟରେ ଗତି ଆଣିବା ପାଇଁ ୪ ଜଣ ଆଇଏଏସ୍ ଅଧିକାରୀଙ୍କୁ ଅତିରିକ୍ତ ସ୍ପେଶାଲ୍ ରିଲିଫ୍ କମିଶନର (Additional SRC) ଭାବେ ନିଯୁକ୍ତ କରାଯାଇଛି। ସେମାନଙ୍କୁ ସ୍ୱତନ୍ତ୍ର କ୍ଷମତା ପ୍ରଦାନ କରାଯାଇଛି।
ନିଯୁକ୍ତି ଅନୁଯାୟୀ, ଗଜପତି ଜିଲ୍ଲାରେ ୨୦୨୪ ବ୍ୟାଚ୍ ଆଇଏଏସ୍ ଅଧିକାରୀ ପୱନ କୁମାର, ଗଞ୍ଜାମ ଜିଲ୍ଲାରେ ୨୦୨୨ ବ୍ୟାଚ୍ ଅଜିତ କୁମାର ଓ ୨୦୨୩ ବ୍ୟାଚ୍ ତେଜସ୍ୱିନୀ ବେହେରା ଏବଂ କନ୍ଧମାଳ ଜିଲ୍ଲାରେ ୨୦୨୩ ବ୍ୟାଚ୍ ଶିବ ମାଲବ୍ୟଙ୍କୁ ଦାୟିତ୍ୱ ଦିଆଯାଇଛି। ସେମାନେ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରଖି କ୍ଷୟକ୍ଷତି ଆକଳନ, କ୍ଷତିପୂରଣ ବଣ୍ଟନ ଓ ଭିତ୍ତିଭୂମି ପୁନରୁଦ୍ଧାର କାର୍ଯ୍ୟର ତଦାରଖ କରିବେ।
ଏହି ସମୟରେ କେନ୍ଦ୍ରୀୟ ଟିମ୍ ଗଜପତି ଜିଲ୍ଲା ଗସ୍ତ କରି କ୍ଷୟକ୍ଷତିର ଆକଳନ କରୁଛନ୍ତି। ଆସନ୍ତାକାଲି ଟିମ୍ ଗଞ୍ଜାମ ଜିଲ୍ଲାରେ ଅନୁଧ୍ୟାନ କରି ଭୁବନେଶ୍ୱର ଫେରିବେ। ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ କେନ୍ଦ୍ରୀୟ ଟିମ୍କୁ ଆବଶ୍ୟକ ସହଯୋଗ ଯୋଗାଇ ଦେଉଛନ୍ତି।
ପ୍ରାଥମିକ କ୍ଷୟକ୍ଷତି ଆକଳନ ରିପୋର୍ଟ ତୁରନ୍ତ ପଠାଇବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପରବର୍ତ୍ତୀ ସମୟରେ ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କ ନିକଟରେ ଦାଖଲ କରାଯିବ। ପ୍ରଭାବିତ ଲୋକଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ରାଜ୍ୟ ସରକାର ପ୍ରତିବଦ୍ଧ ବୋଲି ମନ୍ତ୍ରୀ କହିଛନ୍ତି।
ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ସ୍ପେଶାଲ୍ ରିଲିଫ୍ କମିଶନର ରାଜେଶ ପ୍ରଭାକର ପାଟିଲ୍, ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ଡ. ସୁଧାଂଶୁ ଷଡ଼ଙ୍ଗୀଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
