ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ପ୍ରସଙ୍ଗରେ ବିଜେଡିକୁ ଟାର୍ଗେଟ୍; ୨୪ ବର୍ଷର ଶାସନର ହିସାବ ମାଗିଲା ବିଜେପି
ଭୁବନେଶ୍ୱର, ୨୩ ଅକ୍ଟୋବର: କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ। ରାଜ୍ୟର ଇଞ୍ଚେ ଜମି ମଧ୍ୟ କାହାକୁ ଦିଆଯିବ ନାହିଁ। କୋଟିଆ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଏହା ଦୃଢ଼ ସଂକଳ୍ପ ବୋଲି କହିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ। ଆନ୍ଧ୍ରପ୍ରଦେଶର ପଞ୍ଚାୟତ ନିର୍ବାଚନ ପ୍ରସଙ୍ଗକୁ ନେଇ ଭୁବନେଶ୍ୱରସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ବିଜେଡିକୁ ଟାର୍ଗେଟ୍ କରିଛନ୍ତି।
ତ୍ରିପାଠୀ କହିଛନ୍ତି, କୋଟିଆ ଓଡ଼ିଶାର ଅସ୍ମିତା ଓ ଅଖଣ୍ଡତା ସହ ଜଡ଼ିତ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। କୋଟିଆ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ଦୁଇ ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ଏହି ଅଞ୍ଚଳକୁ ଗସ୍ତ କରି ଉନ୍ନୟନମୂଳକ କାର୍ଯ୍ୟ ଏବଂ ଜନସମ୍ପର୍କକୁ ତ୍ୱରାନ୍ୱିତ କରିଛନ୍ତି। ବିଦ୍ୟୁତ୍ ସଂଯୋଗ, ଓଡ଼ିଆ ଶିକ୍ଷା, ସୁଭଦ୍ରା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଓ ରାସନ କାର୍ଡ ଭଳି ସୁବିଧା ଯୋଗାଇ ଦିଆଯାଉଥିବା ସେ ଦାବି କରିଛନ୍ତି।
୨୦୨୧ର ନିର୍ବାଚନକୁ ନେଇ ବିଜେଡିକୁ ପ୍ରଶ୍ନ
ବିଜେପି ନେତାଙ୍କ ଅଭିଯୋଗ ଅନୁସାରେ, ୨୦୨୧ ଫେବୃଆରୀ ୧୩ରେ ଆନ୍ଧ୍ରପ୍ରଦେଶ ପ୍ରଶାସନ କୋଟିଆ ଅଞ୍ଚଳର ଗଞ୍ଜେଇପଦର, ଫାଟୁସିନେରୀ, ଫଗୁଣସିନେରୀ ଓ ନେରେଡିବାଲସାରେ ପଞ୍ଚାୟତ ନିର୍ବାଚନ କରାଇଥିଲା। ସେତେବେଳେ କ୍ଷମତାରେ ଥିବା ବିଜେଡି ସରକାର ଏହାକୁ ରୋକିବାରେ ବିଫଳ ହୋଇଥିଲା ବୋଲି ସେ କହିଛନ୍ତି। ୨୦୨୨ରେ କୋଟିଆ ଗସ୍ତ ପାଇଁ ବିଧାନସଭାର ଗୃହ କମିଟି ଗଠନ ନେଇ ଘୋଷଣା ହୋଇଥିଲେ ମଧ୍ୟ ତତ୍କାଳୀନ ସରକାର ଏଥିରେ ତତ୍ପରତା ଦେଖାଇନଥିବା ସେ ଅଭିଯୋଗ କରିଛନ୍ତି।
୨୦୨୧ ନଭେମ୍ବରରେ ତତ୍କାଳୀନ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଓଡ଼ିଶା ଗସ୍ତ ସମୟରେ ମଧ୍ୟ କୋଟିଆରେ ଆନ୍ଧ୍ର ପ୍ରଶାସନର କାର୍ଯ୍ୟକଳାପ ଜାରି ରହିଥିଲା ବୋଲି ସେ ଦାବି କରିଛନ୍ତି। ତେଣୁ କୋଟିଆ ପ୍ରସଙ୍ଗରେ ରାଜନୀତି ନକରି ନବୀନ ପଟ୍ଟନାୟକ ନିଜ ସରକାରର ୨୪ ବର୍ଷର କାର୍ଯ୍ୟର ହିସାବ ଦିଅନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି।
କୋଟିଆରେ ଉନ୍ନୟନକୁ ଗୁରୁତ୍ୱ ଦେଉଛି ସରକାର: ବିଜେପି
ତ୍ରିପାଠୀ କହିଛନ୍ତି, ବିଜେପି ବିରୋଧୀ ଦଳରେ ଥିବା ସମୟରେ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଓ ତତ୍କାଳୀନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ଦଳୀୟ ନେତାମାନେ କୋଟିଆ ଗସ୍ତ କରି ସ୍ଥାନୀୟ ଲୋକଙ୍କ ସମସ୍ୟା ଅନୁଧ୍ୟାନ କରିଥିଲେ। ଏହି ଅଞ୍ଚଳରେ ସଡ଼କ ଓ ଟେଲିଫୋନ୍ ସଂଯୋଗ ଭଳି କାର୍ଯ୍ୟକୁ ମଧ୍ୟ ସେ ଉଲ୍ଲେଖ କରିଛନ୍ତି।
ଆନ୍ଧ୍ରପ୍ରଦେଶର ନିର୍ବାଚନ ପ୍ରସଙ୍ଗ ସାମ୍ନାକୁ ଆସିବା ପରେ ରାଜସ୍ୱ ମନ୍ତ୍ରୀ, ଗୃହ ସଚିବ, ଆଇନ ସଚିବ, ଆଡଭୋକେଟ୍ ଜେନେରାଲ, ଆରଡିସି ଓ ଜିଲ୍ଲାପାଳଙ୍କ ସହ ବୈଠକ କରି ଆଇନଗତ ଓ ପ୍ରଶାସନିକ ରଣନୀତି ପ୍ରସ୍ତୁତ ହୋଇଥିବା ସେ କହିଛନ୍ତି।
କେନ୍ଦ୍ରରେ ଏନ୍ଡିଏ ସରକାର ଟିଡିପିର ସମର୍ଥନ ଉପରେ ନିର୍ଭରଶୀଳ ଥିବାରୁ କୋଟିଆ ପ୍ରସଙ୍ଗରେ ନିରବ ରହିଛି ବୋଲି ବିଜେଡିର ଅଭିଯୋଗକୁ ମଧ୍ୟ ତ୍ରିପାଠୀ ଖଣ୍ଡନ କରିଛନ୍ତି। ଲୋକସଭାରେ ଏନ୍ଡିଏର ୩୧୯ ସାଂସଦ ଥିବା ଏବଂ ଟିଡିପିର ୧୬ ସାଂସଦଙ୍କୁ ବାଦ୍ ଦେଲେ ମଧ୍ୟ ବହୁମତ ରହୁଥିବା ସେ କହିଛନ୍ତି।
ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ ଓ ରାଜ୍ୟ ପ୍ରବକ୍ତା ସଞ୍ଜୟ ରଥ ଉପସ୍ଥିତ ଥିଲେ।
