କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ନଦୀଭିତ୍ତିକ ବନ୍ଦର ପ୍ରତିଷ୍ଠା ପାଇଁ ଆଗକୁ ବଢ଼ିଛି ପ୍ରକ୍ରିୟା। ମହାକାଳପଡ଼ା ଅଞ୍ଚଳରେ ମହାନଦୀର ବାମ ପାର୍ଶ୍ୱରେ ଥିବା ଆଖଡ଼ାଶାଳୀ ଗ୍ରାମ ନିକଟରେ ପ୍ରସ୍ତାବିତ ନଦୀଭିତ୍ତିକ ବନ୍ଦର ପାଇଁ ରାଜ୍ୟ ସରକାର ସ୍ଥାନ ନିରୂପଣ କରିଛନ୍ତି। ଏ ସମ୍ପର୍କରେ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି।
ବିଧାନସଭାରେ ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନର ଉତ୍ତରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।
ପ୍ରସ୍ତୁତ ହେବ ବିସ୍ତୃତ ପ୍ରକଳ୍ପ ବିବରଣୀ
ପ୍ରସ୍ତାବିତ ନଦୀଭିତ୍ତିକ ବନ୍ଦର ପ୍ରକଳ୍ପକୁ ଆଗକୁ ନେବା ପାଇଁ ବିସ୍ତୃତ ପ୍ରକଳ୍ପ ବିବରଣୀ ପ୍ରସ୍ତୁତ କରିବାକୁ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଛି। ପ୍ରକଳ୍ପର ବୈଷୟିକ ଦିଗ, ଭିତ୍ତିଭୂମି ଆବଶ୍ୟକତା ଓ ଅନ୍ୟାନ୍ୟ ପ୍ରସଙ୍ଗ ବିସ୍ତୃତ ପ୍ରକଳ୍ପ ବିବରଣୀରେ ସ୍ପଷ୍ଟ ହେବା ଆଶା କରାଯାଉଛି।
ମହାନଦୀ କୂଳରେ ଏହି ନଦୀଭିତ୍ତିକ ବନ୍ଦର ପ୍ରତିଷ୍ଠା ପ୍ରସ୍ତାବ ଏବେ ପ୍ରାରମ୍ଭିକ ପ୍ରକଳ୍ପ ପ୍ରସ୍ତୁତି ପର୍ଯ୍ୟାୟରେ ରହିଛି।
