ରାଜନୀତି ରାଜ୍ୟ ସାମାଜିକ

କର୍ମୀ ଶୂନ୍ୟ ବିଜେପି,ନେତା ଶୂନ୍ୟ ବିଜେଡି ଓ ଭରସା ହୀନ କଂଗ୍ରେସ |

Spread the love

ରାଜ୍ୟର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଦୋଦୁଲ୍ୟମାନ। ୨୪ ବର୍ଷର ଶାସନରେ ବିଜେଡିର ଦ୍ୱିତୀୟ ଧାଡ଼ିର ନେତାମାନଙ୍କ ଗର୍ବ ଓ ଅହଂକାର ହେଉ କି, ସେତେବେଳେ ସରକାରୀ ଚାକିରିରେ ଥାଇ ବିଜେଡିକୁ ଚଳାଉଥିବା IAS ଭି.କେ. ପାଣ୍ଡିଆନଙ୍କ ଡିଲ୍ ହେଉ କି, ବିଜେପି ସରକାର ପ୍ରତି ପାଣ୍ଡିଆନଙ୍କ ଭୟ ହେଉ କିମ୍ବା ପରଦା ପଛରେ ନବୀନ ପଟ୍ଟନାୟକଙ୍କ ସହମତି—କାରଣ ଯାହା ହେଉନା କାହିଁକି, ବିଜେଡି ଆସନ ହରାଇଲା।

ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଥରେ ନୁହେଁ, ଏକାଧିକ ଥର ଓଡ଼ିଶାରେ ଜୁନ୍ ୪ ତାରିଖକୁ ବିଜେଡିର ‘Expiry Date’ ବୋଲି କହିଥିଲେ। ଶେଷରେ ତାହା ସତ ହେଲା। ୨୪ ବର୍ଷ, ଅର୍ଥାତ୍ ଦୁଇଟି ଯୁଗ ପରେ, ନବୀନ ପଟ୍ଟନାୟକ କ୍ଷମତାରୁ ହଟିଲେ ଏବଂ ବିଜେପି ସରକାର ଗଠନ କଲା। ରାଜ୍ୟକୁ ମିଳିଲେ ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀ।

କଂଗ୍ରେସ ସରକାର ସମୟରେ ମଧ୍ୟ ଦୁଇଥର ସ୍ୱଳ୍ପ ସମୟ ପାଇଁ ହେମାନନ୍ଦ ବିଶ୍ୱାଳ ମୁଖ୍ୟମନ୍ତ୍ରୀ ହୋଇଥିଲେ—୧୯୮୯ ଓ ୧୯୯୯ରେ। ଦୁଇଥର ଯାକ ପ୍ରାୟ ଛଅ ମାସିଆ ମୁଖ୍ୟମନ୍ତ୍ରୀ ଭାବେ ସେ ଦାୟିତ୍ୱ ତୁଲାଇଥିଲେ। ପ୍ରାୟ ୨୫ ବର୍ଷ ପରେ ପୁଣି ଜଣେ ଆଦିବାସୀ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ହେଲେ।

ସେହିଭଳି କଂଗ୍ରେସ ମଧ୍ୟ ଆଦିବାସୀ କାର୍ଡ ଖେଳିଲା। କଂଗ୍ରେସ ବିଧାୟକ ଦଳର ନେତା ହେଲେ ରାମଚନ୍ଦ୍ର କାଡମ। ଶରତ ପଟ୍ଟନାୟକଙ୍କ ପରେ ଜଣେ ଦଳିତ ବ୍ୟକ୍ତିତ୍ୱ ଭାବେ ଭକ୍ତ ଚରଣ ଦାସଙ୍କୁ ପିସିସି ସଭାପତି କରାଗଲା। ଯଦିଓ ଭକ୍ତ ଦାସ ପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ନେଇ କଠୋର ମତାମତ ଦେଇଥିବାରୁ ଚର୍ଚ୍ଚାରେ ଥିଲେ।

ଓଡ଼ିଶାବାସୀଙ୍କ ଆଶା ଥିଲା, ଏଥର କିଛି ନୂଆ ହେବ। କିନ୍ତୁ ସ୍ଥିତି ସୁଧୁରିବା ବଦଳରେ ଆହୁରି ବିଗିଡ଼ିବାରେ ଲାଗିଲା।

ସରକାର ଗଠନ ହେବା ପରେ ବିଜେପିର ରାଜନୈତିକ ବିରୋଧୀ ବିଜେଡି କିମ୍ବା କଂଗ୍ରେସ ନୁହେଁ, ବରଂ ବିଜେପି ଭିତରୁ ହିଁ ଚ୍ୟାଲେଞ୍ଜ ଆସିଲା। ବିଜେପି ନେତାମାନେ ହିଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଅଡୁଆରେ ପକାଇବାରେ ଲାଗିଲେ।

ମୋହନ ମାଝୀଙ୍କୁ ବିଜେପି ନେତାମାନଙ୍କ ବିରୋଧ କରିବାରେ ନେତୃତ୍ୱ ନେଲେ ଧର୍ମେନ୍ଦ୍ର ପ୍ରଧାନ। କାହିଁକି ଧର୍ମେନ୍ଦ୍ର ପ୍ରଧାନ ନିଜେ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଥିଲେ, ତାହା ସମ୍ଭବ ହେଲା ନାହିଁ। ଫଳରେ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହେବା ପରେ ଶାସନଭାର ନିଜ ହାତରେ ରଖି ମୋହନ ମାଝୀଙ୍କୁ କଣ୍ଢେଇ ଭଳି ଚଳାଇବେ ବୋଲି ଯେଉଁ ଆଶଙ୍କା ଥିଲା, ତାହା ସେହିଭଳି ହେଲା ନାହିଁ।

ମନ୍ତ୍ରିମଣ୍ଡଳରେ ୭ ଜଣ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁଗତ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ସେମିତି କିଛି ହେଲା ନାହିଁ। ବରଂ ଧର୍ମେନ୍ଦ୍ର ପ୍ରଧାନ ମୋହନ ମାଝୀଙ୍କର ସବୁଠାରୁ ବଡ଼ ବିରୋଧୀ ହେଲେ ବୋଲି ଏକ ଧାରଣା ସୃଷ୍ଟି ହେଲା।

ନିଜର ଅନୁଗତ ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ, ସମ୍ପଦ ସ୍ୱାଇଁ, ମୁକେଶ ମହାଲିଙ୍ଗ, ରବି ନାରାୟଣ ନାୟକ, ପୃଥ୍ୱୀରାଜ ହରିଚନ୍ଦନ ଓ ନିତ୍ୟାନନ୍ଦ ଗଣ୍ଡଙ୍କ ଜରିଆରେ ଧର୍ମେନ୍ଦ୍ର ପ୍ରଧାନ ସରକାର ଉପରେ ପ୍ରଭାବ ବିସ୍ତାର କରୁଥିବା ନେଇ ମଧ୍ୟ ଚର୍ଚ୍ଚା ରହିଛି।

ସଦ୍ୟ ଘଟଣାକୁ ଦେଖିଲେ, ରାଜ୍ୟ ପୋଲିସ୍‌ର DG ନିଯୁକ୍ତି ପ୍ରସଙ୍ଗରେ ମଧ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଡୁଆରେ ପଡ଼ୁଥିବାର ଚର୍ଚ୍ଚା ହେଉଛି। ଏହା ପଛରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୂମିକା ରହିଛି ବୋଲି ମଧ୍ୟ ଅଭିଯୋଗ ଉଠୁଛି।

ବିଜେଡିର ନେତୃତ୍ୱ ମଧ୍ୟ ଦୁର୍ବଳ ହୋଇପଡ଼ିଛି। ନବୀନ ପଟ୍ଟନାୟକଙ୍କ ବୟସାଧିକ୍ୟ, ଶାରୀରିକ ଅସୁସ୍ଥତା ଏବଂ ନିଜର ଦୀର୍ଘ ୨୬ ବର୍ଷର ରାଜନୈତିକ ଜୀବନରେ ପ୍ରଥମ ଥର ନିର୍ବାଚନ ହାରିବାର ଧକ୍କା ତାଙ୍କ ରାଜନୈତିକ ସକ୍ରିୟତାକୁ ପ୍ରଭାବିତ କରିଛି।

ଏହା ସହିତ, ବିଜେପି ସରକାରକୁ ପ୍ରାୟ ଦୁଇ ବର୍ଷ ହୋଇଥିବା ବେଳେ ପାଣ୍ଡିଆନଙ୍କ ସ୍ତ୍ରୀ ସୁଜାତା କାର୍ତ୍ତିକେୟନ ମଙ୍ଗ ଧରିଲେ ମଧ୍ୟ ନିୟନ୍ତ୍ରଣ ପାଣ୍ଡିଆନଙ୍କ ହାତରେ ରହିଥିବା ନେଇ ଚର୍ଚ୍ଚା ହେଉଛି। ଗିରଫଦାରୀର ଭୟ ହେଉ କିମ୍ବା ସରକାରୀ କାର୍ଯ୍ୟାନୁଷ୍ଠାନର ଭୟ—ଯେଉଁ କାରଣ ହେଉନା କାହିଁକି, ବିଜେପି ସରକାର ବିରୋଧରେ ସେମାନେ ସକ୍ରିୟ ହୋଇନଥିବା ଅଭିଯୋଗ ମଧ୍ୟ ରହିଛି।

ଅନ୍ୟପଟେ, କଂଗ୍ରେସରେ ଭକ୍ତ ଚରଣ ଦାସଙ୍କ ବିରୋଧରେ ଦଳୀୟ ନେତାଙ୍କ ଅସନ୍ତୋଷ ସହିତ ତାଙ୍କ ପୁଅ ବିଧାୟକ ଥିବା ଏବଂ ନିଜେ ପିସିସି ସଭାପତି ହେବା ପରେ ଦଳ ଭିତରେ ବିବାଦ ଆହୁରି ବଢ଼ିଲା। କେତେବେଳେ ବିଜେଡି, କେତେବେଳେ ବେଦାନ୍ତ, ତ କେତେବେଳେ ସରକାରୀ ଦଳ ସହ ଡିଲ୍ କରୁଥିବା ନେଇ ଭକ୍ତ ଦାସଙ୍କ ବିରୋଧରେ ଅଭିଯୋଗ ଉଠିଲା। ଫଳରେ ସେ ନିଜେ ବଦନାମ ହେବା ସହ କଂଗ୍ରେସ କର୍ମୀଙ୍କ ବିଶ୍ୱାସ ମଧ୍ୟ ହରାଇଲେ ବୋଲି ଏକ ଧାରଣା ସୃଷ୍ଟି ହୋଇଛି।

ଏହି ଦୃଷ୍ଟିରୁ ଦେଖିଲେ, ଭକ୍ତ ଦାସ ଜୟଦେବ ଜେନା ଓ ନିରଞ୍ଜନ ପଟ୍ଟନାୟକଙ୍କ ରାସ୍ତାରେ ପାଦ ଦେଇଛନ୍ତି ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି।

ସରକାରକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ବିଜେପି ଏବଂ ଧର୍ମେନ୍ଦ୍ର ପ୍ରଧାନ ଠିକ୍ ଭାବରେ କାମ କରିବାକୁ ଦେଲେ ନାହିଁ ବୋଲି ଯେଉଁ ଅଭିଯୋଗ ରହିଛି, ତାହାର ପରିଣାମରେ ସରକାରୀ ପ୍ରକ୍ରିୟା ଠିକ୍ ଭାବରେ ଚାଲିପାରିଲା ନାହିଁ।

ବିଜେଡି ମଧ୍ୟ ଏକ ଦୃଢ଼ ବିରୋଧୀ ଦଳର ଭୂମିକା ନିଭାଇପାରିଲା ନାହିଁ। କଂଗ୍ରେସ ନିଜ ଦଳର କର୍ମୀଙ୍କ ସହିତ ଓଡ଼ିଶାବାସୀଙ୍କ ବିଶ୍ୱାସ ମଧ୍ୟ ହରାଇବାରେ ଲାଗିଛି।

ଏଭଳି ଏକ ଅସ୍ଥିର, ଦୋଦୁଲ୍ୟମାନ ଏବଂ ଅନିଶ୍ଚିତ ରାଜନୈତିକ ପରିସ୍ଥିତି ମଧ୍ୟରେ ଆଜିର ଓଡ଼ିଶା ରାଜନୀତି ଗତି କରୁଛି। ଶାସକ ବିଜେପି ଭିତରେ ଅନ୍ତଃକନ୍ଦଳ, ବିଜେଡିରେ ନେତୃତ୍ୱ ସଙ୍କଟ ଏବଂ କଂଗ୍ରେସରେ ବିଶ୍ୱାସର ଅଭାବ—ଏହି ତିନୋଟି ଦଳର ଦୁର୍ବଳତା ଆଗାମୀ ଦିନରେ ଓଡ଼ିଶାର ରାଜନୈତିକ ସମୀକରଣକୁ କେଉଁ ଦିଗକୁ ନେବ, ତାହା ହିଁ ଏବେ ସବୁଠାରୁ ବଡ଼ ପ୍ରଶ୍ନ।

Leave a Reply

Your email address will not be published. Required fields are marked *