୦.୪% MDRକୁ ନେଇ କେନ୍ଦ୍ର ବିରୋଧରେ କଂଗ୍ରେସର ଆକ୍ରମଣ
ଭୁବନେଶ୍ୱର: UPI ନେଣଦେଣରେ ନୂଆ ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ (MDR) ବ୍ୟବସ୍ଥାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ଓଡ଼ିଶା କଂଗ୍ରେସ। UPI ନୂଆ ନିୟମ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଭକ୍ତ ଦାସ କହିଛନ୍ତି, ଦେଶରେ ଏବେ ‘ବେପାରୀ ସରକାର’ ଚାଲିଛି। ନୂଆ UPI ନିୟମ ଯୋଗୁଁ କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀମାନେ ପ୍ରଭାବିତ ହେବେ ବୋଲି ସେ ଅଭିଯୋଗ କରିଛନ୍ତି।
ସରକାର ଡିଜିଟାଲ ପେମେଣ୍ଟକୁ ଉତ୍ସାହିତ କରିବା ପରେ ଏବେ ଏହା ଉପରେ ଶୁଳ୍କ ବ୍ୟବସ୍ଥା ଆଣିବା ନେଇ ମଧ୍ୟ ଭକ୍ତ ଦାସ ପ୍ରଶ୍ନ ଉଠାଇଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ, ଗ୍ରାହକ ସାମଗ୍ରୀ କିଣିବା ସମୟରେ ଟିକସ ଦେଉଥିବା ବେଳେ ପେମେଣ୍ଟ ସମୟରେ ପୁଣି ଅତିରିକ୍ତ ଆର୍ଥିକ ବୋଝ କାହିଁକି ପଡ଼ିବ ବୋଲି ସେ ପ୍ରଶ୍ନ କରିଛନ୍ତି।
ଭକ୍ତ ଦାସ ଆହୁରି କହିଛନ୍ତି ଯେ, ବ୍ୟାଙ୍କିଂ ବ୍ୟବସ୍ଥାରେ ପର୍ଯ୍ୟାପ୍ତ ଲିକ୍ୱିଡିଟି ଫଣ୍ଡ ଥିବା ସତ୍ତ୍ୱେ ୦.୪ ପ୍ରତିଶତ ଶୁଳ୍କର ଆବଶ୍ୟକତା କ’ଣ, ତାହା ସରକାର ସ୍ପଷ୍ଟ କରିବା ଉଚିତ।
କେନ୍ଦ୍ରର ନୂଆ ବ୍ୟବସ୍ଥା ଅନୁସାରେ, ୧୫ ଅକ୍ଟୋବର ୨୦୨୬ରୁ ₹୨,୦୦୦ରୁ ଅଧିକ କିଛି P2M (ଗ୍ରାହକରୁ ବ୍ୟବସାୟୀ) UPI ଟ୍ରାନଜାକସନ ଉପରେ ୦.୪% MDR ଲାଗୁ ହେବ। ତେବେ ସରକାରଙ୍କ ସ୍ପଷ୍ଟୀକରଣ ଅନୁସାରେ ଏହା ସାଧାରଣ ଗ୍ରାହକଙ୍କଠାରୁ ନିଆଯିବା ଟିକସ ନୁହେଁ ଏବଂ P2P ଟ୍ରାନଜାକସନ ମାଗଣା ରହିବ।
କଂଗ୍ରେସ ପକ୍ଷରୁ ଏହି ନୂଆ ବ୍ୟବସ୍ଥାକୁ ବିରୋଧ କରାଯାଇଥିବା ବେଳେ, ଭକ୍ତ ଦାସ କହିଛନ୍ତି ଯେ ନୂଆ ନୀତି ପ୍ରତ୍ୟାହାର ନହେଲେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ।
