Economy ରାଜନୀତି ରାଜ୍ୟ ଲାଇଫ ଷ୍ଟାଇଲ ସାମାଜିକ ସ୍ୱତନ୍ତ୍ର

ଗରିବଙ୍କ ଚାଉଳ ଉପରେ ଆଖି ପକାଉଥିବା ଅସାଧୁ ଡିଲର ଓ ବ୍ୟବସାୟୀଙ୍କୁ ନିସ୍ତାର ନାହିଁ

Spread the love

୩ ବର୍ଷରେ ରାସନ ଚୋରି ଓ ଅନିୟମିତତା ନେଇ ୨୨୯ ଅଭିଯୋଗ; ୨୦୧ ଡିଲର ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ସାଧାରଣ ବଣ୍ଟନ ବ୍ୟବସ୍ଥାରେ ରାସନ ଚୋରି ଓ ଅନିୟମିତତାକୁ ନେଇ କଡ଼ା ପଦକ୍ଷେପ ନିଆଯାଉଛି। ବିଗତ ୩ ବର୍ଷ ମଧ୍ୟରେ ରାଜ୍ୟରେ ରାସନ ଚୋରି ଓ ବିଭିନ୍ନ ଅନିୟମିତତା ସମ୍ପର୍କରେ ମୋଟ ୨୨୯ଟି ଅଭିଯୋଗ ଆସିଛି। ଏଥିମଧ୍ୟରୁ ୨୦୧ ଜଣ ଡିଲର ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଲାଇସେନ୍ସ ବାତିଲ, ଜରିମାନା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଏହି ତଥ୍ୟ ଦେଇଛନ୍ତି।

ଜିଲ୍ଲାୱାରୀ ତଥ୍ୟ ଅନୁସାରେ ରାସନ ସମ୍ପର୍କିତ ଅଭିଯୋଗରେ କଟକ ଓ ଯାଜପୁର ଆଗରେ ରହିଛନ୍ତି। କଟକ ଜିଲ୍ଲାରୁ ସର୍ବାଧିକ ୪୦ଟି ଅଭିଯୋଗ ଆସିଥିବା ବେଳେ ଯାଜପୁରରୁ ୩୪ଟି, କେନ୍ଦ୍ରାପଡ଼ାରୁ ୩୨ଟି ଏବଂ ପୁରୀରୁ ୨୪ଟି ଅଭିଯୋଗ ସାମ୍ନାକୁ ଆସିଛି।

ଅନ୍ୟପଟେ ଖାଉଟି ସାମଗ୍ରୀର କଳାବଜାରୀ ଓ ଧାର୍ଯ୍ୟ ଦରଠାରୁ ଅଧିକ ଦର ଆଦାୟ ଅଭିଯୋଗରେ ମଧ୍ୟ ପଦକ୍ଷେପ ନିଆଯାଇଛି। ୨୦୨୪-୨୫ ଆର୍ଥିକ ବର୍ଷରେ ୧୯ ଜଣ ବ୍ୟବସାୟୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ସେହିପରି ୧୬୯ ଜଣ ଖିଲାପକାରୀ ବ୍ୟବସାୟୀଙ୍କଠାରୁ ମୋଟ ୧ ଲକ୍ଷ ୯୨ ହଜାର ୬୦୦ ଟଙ୍କା ଜରିମାନା ଆଦାୟ ହୋଇଛି।

୨୦୨୫-୨୬ରେ ୯ ଜଣ ଖିଲାପକାରୀ ବ୍ୟବସାୟୀଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ ହୋଇଥିବା ବେଳେ ୨୦୨୬-୨୭ରେ ଏପର୍ଯ୍ୟନ୍ତ କୌଣସି ମାମଲା ରୁଜୁ ହୋଇନଥିବା ଲିଖିତ ଉତ୍ତରରେ ଉଲ୍ଲେଖ ରହିଛି।

ରାସନ ବଣ୍ଟନରେ ହେରଫେର ରୋକିବା ପାଇଁ ସରକାର ୧୦୦ ପ୍ରତିଶତ e-POS ବ୍ୟବସ୍ଥା, ଆଧାର ଆଧାରିତ ବାୟୋମେଟ୍ରିକ ଯାଞ୍ଚ ଓ ଇଲେକ୍ଟ୍ରୋନିକ ଓଜନ ମେସିନ୍ ବ୍ୟବହାର କରୁଛନ୍ତି। ଏହାସହ ଦୁର୍ଗମ ଓ ଆଦିବାସୀ ଅଞ୍ଚଳର ହିତାଧିକାରୀଙ୍କ ଘରେ ରାସନ ପହଞ୍ଚାଇବା ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ସରକାର ବିଧାନସଭାରେ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *