Economy ଅର୍ଥନୀତି ରାଜନୀତି ରାଜ୍ୟ ସାମାଜିକ ସ୍ୱତନ୍ତ୍ର

ଅବ୍ୟବହୃତ ସରକାରୀ ଜମି ଫେରାଇ ଆଣିବାକୁ ନିର୍ଦ୍ଦେଶ, ସମସ୍ତ ଜିଲ୍ଲାପାଳଙ୍କୁ ରାଜସ୍ୱ ସଚିବଙ୍କ ଚିଠି

Spread the love

୩ ବର୍ଷରୁ ଅଧିକ ସମୟ ଅବ୍ୟବହୃତ ଲିଜ୍ ଜମିର ହେବ ସମୀକ୍ଷା

ସ୍ୱାର୍ଥନିହିତ ଗୋଷ୍ଠୀ ସହ ଅଧିକାରୀଙ୍କ ସମ୍ପୃକ୍ତି ପ୍ରମାଣିତ ହେଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର, ସେପ୍ଟେମ୍ବର ୨୮: ରାଜ୍ୟରେ ଦୀର୍ଘ ସମୟ ଧରି ଅବ୍ୟବହୃତ ରହିଥିବା କିମ୍ବା ଅନୁମୋଦିତ ଉଦ୍ଦେଶ୍ୟ ବଦଳରେ ଅନ୍ୟ କାର୍ଯ୍ୟରେ ବ୍ୟବହୃତ ହେଉଥିବା ସରକାରୀ ଜମି ଉପରେ ଏବେ କଡ଼ା ନଜର ରଖିବ ରାଜସ୍ୱ ବିଭାଗ। ଏଭଳି ଜମିର ସମୀକ୍ଷା କରି ଆଇନ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନେବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଆଡଭାନ୍ସ ପଜେସନ୍‌, ପରମିସିଭ୍ ପଜେସନ୍‌, ଲିଜ୍‌ ଓ ଆଲିଏନେସନ୍‌ ମାଧ୍ୟମରେ ଦିଆଯାଇଥିବା ସରକାରୀ ଜମିର ବ୍ୟାପକ ଏବଂ ସମୟବଦ୍ଧ ସମୀକ୍ଷା କରିବାକୁ କୁହାଯାଇଛି।

ବିଭିନ୍ନ ସରକାରୀ ବିଭାଗ, କର୍ପୋରେସନ୍‌, ସଂସ୍ଥା, ସଂଗଠନ ଓ ବ୍ୟକ୍ତିବିଶେଷଙ୍କୁ ବିଭିନ୍ନ ଉଦ୍ଦେଶ୍ୟରେ ସରକାରୀ ଜମି ପ୍ରଦାନ କରାଯାଇଛି। ତେବେ କେତେକ କ୍ଷେତ୍ରରେ ଏହି ଜମି ଅବ୍ୟବହୃତ ପଡ଼ିରହିଥିବା ବେଳେ ଆଉ କେତେକ ସ୍ଥାନରେ ଅନୁମୋଦିତ ଉଦ୍ଦେଶ୍ୟ ବ୍ୟତୀତ ଅନ୍ୟ କାର୍ଯ୍ୟରେ ବ୍ୟବହାର ହେଉଥିବା ନଜରକୁ ଆସିଛି।

୩ ବର୍ଷ ଅବ୍ୟବହୃତ ରହିଲେ ହେବ ରିସମ୍ପସନ୍‌

ବିଭିନ୍ନ ସଂସ୍ଥା, ସଂଗଠନ ଓ ବ୍ୟକ୍ତିବିଶେଷଙ୍କୁ ଲିଜ୍‌ରେ ଦିଆଯାଇଥିବା ସରକାରୀ ଜମିର କେସ୍‌-ଭିତ୍ତିକ ସମୀକ୍ଷା କରାଯିବ। ସେଟଲମେଣ୍ଟ ତାରିଖଠାରୁ ୩ ବର୍ଷରୁ ଅଧିକ ସମୟ ଜମି ଅବ୍ୟବହୃତ ରହିଥିଲେ କିମ୍ବା ଅନୁମୋଦିତ ଉଦ୍ଦେଶ୍ୟ ବ୍ୟତୀତ ଅନ୍ୟ କାର୍ଯ୍ୟରେ ବ୍ୟବହାର ହେଉଥିଲେ, ଆଇନ ଅନୁଯାୟୀ ରିସମ୍ପସନ୍‌ ପ୍ରକ୍ରିୟା ଆରମ୍ଭ କରାଯିବ।

ଓଡ଼ିଶା ସରକାରୀ ଜମି ସେଟଲମେଣ୍ଟ ଆଇନ, ୧୯୬୨ର ଧାରା ୩-B ଅନୁଯାୟୀ ପ୍ରଯୁଜ୍ୟ ମାମଲାରେ ଆଇନସମ୍ମତ ପ୍ରକ୍ରିୟା ଅନୁସରଣ କରି ଜମିକୁ ସରକାରୀ ଦଖଲକୁ ଫେରାଇ ଆଣିବା ସହ ଆବଶ୍ୟକ ଅନୁସାରେ ରାଜସ୍ୱ ରେକର୍ଡରେ ସଂଶୋଧନ କରାଯିବ।

ସରକାରୀ ବିଭାଗକୁ ନିର୍ଦ୍ଦିଷ୍ଟ ପ୍ରକଳ୍ପ ପାଇଁ ହସ୍ତାନ୍ତର ହୋଇଥିବା ଜମିର ମଧ୍ୟ କ୍ଷେତ୍ରସ୍ତରୀୟ ଯାଞ୍ଚ କରାଯିବ। ୩ ବର୍ଷରୁ ଅଧିକ ସମୟ ଧରି ଅବ୍ୟବହୃତ ଏବଂ ଆଉ ସମ୍ପୃକ୍ତ ଉଦ୍ଦେଶ୍ୟରେ ଆବଶ୍ୟକ ନଥିବା ଜମିକୁ ରାଜସ୍ୱ ବିଭାଗ ସପକ୍ଷରେ ଫେରାଇ ଆଣିବା ପାଇଁ ପଦକ୍ଷେପ ନିଆଯିବ।

ଜବରଦଖଲକାରୀଙ୍କ ବିରୋଧରେ କଡ଼ା ପଦକ୍ଷେପ

ଲିଜ୍‌ କିମ୍ବା ଆଲିଏନେଟ୍‌ କରାଯାଇଥିବା ସରକାରୀ ଜମିରେ ଜବରଦଖଲ ଚିହ୍ନଟ ହେଲେ ପ୍ରଚଳିତ ନିୟମ ଓ ପ୍ରକ୍ରିୟା ଅନୁଯାୟୀ ଜବରଦଖଲକାରୀଙ୍କୁ ଉଚ୍ଛେଦ ପାଇଁ ତ୍ୱରିତ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି।

ରାଜସ୍ୱ ସଚିବ କହିଛନ୍ତି, ସରକାରୀ ଜମି ଏକ ମୂଲ୍ୟବାନ ସାର୍ବଜନୀନ ସମ୍ପଦ। ଏହାର ଅପବ୍ୟବହାର, ଅନଧିକୃତ ଦଖଲ କିମ୍ବା ଅନଧିକୃତ ଧାରଣକୁ ରୋକିବା ସହ ଜମିର ସୁରକ୍ଷା ସୁନିଶ୍ଚିତ କରିବା ଆବଶ୍ୟକ।

ସ୍ୱାର୍ଥନିହିତ ମହଲ, ଦୁର୍ନୀତିଗ୍ରସ୍ତ ବ୍ୟକ୍ତି କିମ୍ବା ଅନୈତିକ ଅନୁଷ୍ଠାନ ସହ କୌଣସି ସରକାରୀ ଅଧିକାରୀ ବା କର୍ମଚାରୀଙ୍କ ସମ୍ପର୍କ କିମ୍ବା ସହଯୋଗ ପ୍ରମାଣିତ ହେଲେ ପ୍ରଚଳିତ ଆଇନ ଅନୁଯାୟୀ କଠୋର ଶୃଙ୍ଖଳାଗତ ଓ ଫୌଜଦାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚିଠିରେ ସ୍ପଷ୍ଟ କରାଯାଇଛି।

ପ୍ରତିମାସ ୫ ତାରିଖ ସୁଦ୍ଧା ଦେବାକୁ ହେବ ରିପୋର୍ଟ

ପ୍ରତ୍ୟେକ ଜିଲ୍ଲାରେ ସମୀକ୍ଷା ହୋଇଥିବା ମାମଲା, କାର୍ଯ୍ୟାନୁଷ୍ଠାନ ପାଇଁ ଚିହ୍ନଟ ମାମଲା, ଆରମ୍ଭ ଓ ସମାପ୍ତ ହୋଇଥିବା ପ୍ରକ୍ରିୟା ଏବଂ ସରକାରୀ ଖାତାକୁ ଫେରିଥିବା ଜମିର ସମଗ୍ର ରେକର୍ଡ ରଖାଯିବ।

ଆଡଭାନ୍ସ ପଜେସନ୍‌, ପରମିସିଭ୍ ପଜେସନ୍‌, ରିସମ୍ପସନ୍‌ ଓ ରିଲିନକ୍ୱିଶମେଣ୍ଟ—ଏହି ଚାରିଟି ପୃଥକ ଫର୍ମାଟ୍‌ରେ ପ୍ରତିମାସ ୫ ତାରିଖ ସୁଦ୍ଧା ଅନଲାଇନ୍‌ରେ ପ୍ରଗତି ରିପୋର୍ଟ ଦାଖଲ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।

ସମଗ୍ର ସମୀକ୍ଷା ଓ କାର୍ଯ୍ୟାନୁଷ୍ଠାନକୁ ପ୍ରାଥମିକତା ଭିତ୍ତିରେ ନେବା ସହ ଅନାବଶ୍ୟକ ବିଳମ୍ବ ଓ ଅବହେଳା ନହେବାକୁ ଜିଲ୍ଲାପାଳମାନଙ୍କୁ ବ୍ୟକ୍ତିଗତ ଭାବେ ଦାୟିତ୍ୱ ଦିଆଯାଇଛି। ସରକାରୀ ଜମିର ସୁରକ୍ଷା ଓ ସୁବ୍ୟବସ୍ଥିତ ପରିଚାଳନା ପାଇଁ ରାଜସ୍ୱ ବିଭାଗ ପ୍ରତିବଦ୍ଧ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *