ଭୁବନେଶ୍ୱର: ଗରିବଙ୍କ ପାଇଁ ଉଦ୍ଦିଷ୍ଟ ରାସନ ସାମଗ୍ରୀ ହଡ଼ପ ଓ ବଣ୍ଟନରେ ଅନିୟମିତତା କରୁଥିବା ଅସାଧୁ ଡିଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ରାଜ୍ୟ ସରକାର। ବିଗତ ତିନି ବର୍ଷ ମଧ୍ୟରେ ରାଜ୍ୟରେ ରାସନ ଚୋରି ଓ ବଣ୍ଟନରେ ଅନିୟମିତତା ସମ୍ପର୍କିତ ୨୨୯ଟି ଅଭିଯୋଗ ଆସିଥିବା ବେଳେ ୨୦୧ ଜଣ ଡିଲର ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଲାଇସେନ୍ସ ବାତିଲ୍, ଜରିମାନା ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଏହି ତଥ୍ୟ ପ୍ରଦାନ କରିଛନ୍ତି।
ରାସନ ଅନିୟମିତତାରେ କଟକ ଓ ଯାଜପୁର ଆଗରେ
ସରକାରୀ ତଥ୍ୟ ଅନୁଯାୟୀ, ରାସନ ଚୋରି ଓ ବଣ୍ଟନରେ ଅନିୟମିତତା ସମ୍ପର୍କିତ ଅଭିଯୋଗ ସଂଖ୍ୟାରେ କଟକ ଜିଲ୍ଲା ସର୍ବାଗ୍ରେ ରହିଛି। କଟକରୁ ସର୍ବାଧିକ ୪୦ଟି ଅଭିଯୋଗ ଆସିଥିବା ବେଳେ ଯାଜପୁରରୁ ୩୪ଟି, କେନ୍ଦ୍ରାପଡ଼ାରୁ ୩୨ଟି ଏବଂ ପୁରୀ ଜିଲ୍ଲାରୁ ୨୪ଟି ଅଭିଯୋଗ ଆସିଛି।
ଏହି ଚାରିଟି ଜିଲ୍ଲାରୁ ମୋଟ ୧୩୦ଟି ଅଭିଯୋଗ ଆସିଛି। ରାଜ୍ୟର ମୋଟ ଅଭିଯୋଗ ସଂଖ୍ୟାର ଅଧାରୁ ଅଧିକ ଅଭିଯୋଗ କେବଳ ଏହି ଚାରି ଜିଲ୍ଲାରୁ ଆସିଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି।
କଳାବଜାରୀ ଓ ଅଧିକ ଦର ଆଦାୟ: ୧.୯୨ ଲକ୍ଷ ଟଙ୍କା ଜରିମାନା
କେବଳ ରାସନ ବଣ୍ଟନ ନୁହେଁ, ଖାଉଟି ସାମଗ୍ରୀର କଳାବଜାରୀ ଓ ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ଦର ଆଦାୟ କରୁଥିବା ବ୍ୟବସାୟୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
୨୦୨୪-୨୫ ଆର୍ଥିକ ବର୍ଷରେ ଏଭଳି ଅନିୟମିତତା ପାଇଁ ୧୯ ଜଣ ବ୍ୟବସାୟୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। ସେହିପରି ୧୬୯ ଜଣ ଖିଲାପକାରୀ ବ୍ୟବସାୟୀଙ୍କଠାରୁ ମୋଟ ୧ ଲକ୍ଷ ୯୨ ହଜାର ୬୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି।
୨୦୨୫-୨୬ ଆର୍ଥିକ ବର୍ଷରେ ୯ ଜଣ ଖିଲାପକାରୀ ବ୍ୟବସାୟୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିବା ବେଳେ ୨୦୨୬-୨୭ ଆର୍ଥିକ ବର୍ଷରେ ଏପର୍ଯ୍ୟନ୍ତ କୌଣସି ମାମଲା ରୁଜୁ ହୋଇନଥିବା ଲିଖିତ ଉତ୍ତରରେ ଦର୍ଶାଯାଇଛି।
ରାସନ ହେରଫେର ରୋକିବାକୁ ଡିଜିଟାଲ୍ ବ୍ୟବସ୍ଥା
ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ଏବଂ ରାସନ ସାମଗ୍ରୀର ହେରଫେର ରୋକିବା ପାଇଁ ସରକାର ଶତପ୍ରତିଶତ ଇ-ପିଓଏସ୍ (e-POS), ଆଧାର ଆଧାରିତ ବାୟୋମେଟ୍ରିକ୍ ବ୍ୟବସ୍ଥା ଏବଂ ଇଲେକ୍ଟ୍ରୋନିକ୍ ଓଜନ ମେସିନ୍ ପ୍ରଚଳନ କରିଥିବା ଜଣାଇଛନ୍ତି।
ଏହାଦ୍ୱାରା ରାସନ ବଣ୍ଟନ ପ୍ରକ୍ରିୟାରେ ଅନିୟମିତତା ରୋକିବା ସହ ହିତାଧିକାରୀଙ୍କୁ ସେମାନଙ୍କ ନ୍ୟାଯ୍ୟ ପ୍ରାପ୍ୟ ଯୋଗାଇଦେବାକୁ ଲକ୍ଷ୍ୟ ରଖାଯାଇଛି।
ଅନ୍ୟପକ୍ଷରେ, ଦୁର୍ଗମ ଓ ଆଦିବାସୀ ଅଞ୍ଚଳର ହିତାଧିକାରୀମାନେ ଯେପରି ରାସନ ପାଇବାରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ଘରେ ଘରେ ରାସନ ପହଞ୍ଚାଇବାର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ମନ୍ତ୍ରୀ ତାଙ୍କ ଲିଖିତ ଉତ୍ତରରେ ସୂଚନା ଦେଇଛନ୍ତି।
