ଭୁବନେଶ୍ୱର: ରାଜ୍ୟରୁ ଚାଉଳ ଉଠାଣକୁ ନେଇ ବିଧାନସଭାରେ ସାମ୍ନାକୁ ଆସିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ବିଧାୟକ ଅନନ୍ତ ଜେନାଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଚାଉଳ ଉଠାଣ ସମ୍ପର୍କିତ ତଥ୍ୟ ରଖିଛନ୍ତି।
ମନ୍ତ୍ରୀଙ୍କ ଉତ୍ତର ଅନୁସାରେ, ଭାରତୀୟ ଖାଦ୍ୟ ନିଗମ (FCI) ଏପର୍ଯ୍ୟନ୍ତ ରାଜ୍ୟରୁ ମୋଟ ୮.୧୨ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଉଠାଇଛି। ଏଥିମଧ୍ୟରେ ୬.୨୩ ଲକ୍ଷ ମେଟ୍ରିକ୍ ଟନ୍ ଉଷୁନା ଚାଉଳ ଏବଂ ୧.୮୯ ଲକ୍ଷ ମେଟ୍ରିକ୍ ଟନ୍ ଅରୁଆ ଚାଉଳ ରହିଛି।
ତଥ୍ୟ ଅନୁଯାୟୀ, ସେପ୍ଟେମ୍ବର ସୁଦ୍ଧା FCI ପକ୍ଷରୁ ରାଜ୍ୟରୁ ପ୍ରାୟ ୨୨ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଉଠାଯିବା କଥା। ତେବେ ବର୍ତ୍ତମାନ ସୁଦ୍ଧା ତାହା ତୁଳନାରେ କମ୍ ପରିମାଣର ଚାଉଳ ଉଠାଯାଇଛି।
ଚାଉଳ ଉଠାଣ ପ୍ରକ୍ରିୟା ଜାରି ରହିଥିବା ବେଳେ ଅବଶିଷ୍ଟ ଚାଉଳ ଉଠାଇବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାର ଓ FCI ସହ ଲଗାତାର ଆଲୋଚନା କରୁଥିବା ମନ୍ତ୍ରୀଙ୍କ ଉତ୍ତରରୁ ଜଣାପଡ଼ିଛି।
ନିର୍ଦ୍ଧାରିତ ପରିମାଣ ତୁଳନାରେ ଚାଉଳ ଉଠାଣ କମ୍ ରହିଥିବାରୁ ଆଗାମୀ ଦିନରେ FCI କେତେ ଶୀଘ୍ର ଅବଶିଷ୍ଟ ଚାଉଳ ଉଠାଉଛି, ତାହା ଉପରେ ନଜର ରହିବ।
