ଭୁବନେଶ୍ୱର: ଓଡ଼ିଶାରେ ସ୍ୱତନ୍ତ୍ର ଗଭୀର ସଂଶୋଧନ (SIR) ପ୍ରକ୍ରିୟା ଶେଷ ହେବା ସହ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଚୂଡ଼ାନ୍ତ ତାଲିକା ଅନୁଯାୟୀ ରାଜ୍ୟରେ ମୋଟ ଭୋଟରଙ୍କ ସଂଖ୍ୟା ୩ କୋଟି ୧୬ ଲକ୍ଷ ୩୨ ହଜାର ୭୫୪ରେ ପହଞ୍ଚିଛି।
SIR ପୂର୍ବରୁ ରାଜ୍ୟରେ ମୋଟ ୩,୩୩,୯୯,୫୯୧ ଭୋଟର ଥିଲେ। ୫ ଜୁଲାଇ ୨୦୨୬ରେ ପ୍ରକାଶିତ ଡ୍ରାଫ୍ଟ ଭୋଟର ତାଲିକାରେ ୩,୧୩,୮୭,୦୩୪ ଜଣଙ୍କ ନାଁ ରହିଥିଲା। ଏବେ ଚୂଡ଼ାନ୍ତ ତାଲିକାରେ ଏହି ସଂଖ୍ୟା ବୃଦ୍ଧି ପାଇ ୩,୧୬,୩୨,୭୫୪ ହୋଇଛି। ଅର୍ଥାତ୍ ଡ୍ରାଫ୍ଟ ତାଲିକା ତୁଳନାରେ ଚୂଡ଼ାନ୍ତ ତାଲିକାରେ ନିଟ୍ ୨,୪୫,୭୨୦ ଭୋଟର ବୃଦ୍ଧି ପାଇଛନ୍ତି।
SIR ପ୍ରକ୍ରିୟାରେ ଡ୍ରାଫ୍ଟ ପ୍ରକାଶ ପୂର୍ବରୁ ୨୦,୧୨,୫୫୭ ଜଣଙ୍କ ନାଁ ବାଦ୍ ପଡ଼ିଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ୪୪,୭୭୭ ଜଣଙ୍କ ନାଁ ବାଦ୍ ପଡ଼ିଛି।
ଡ୍ରାଫ୍ଟ ତାଲିକା ପ୍ରକାଶ ପରେ ୨,୯୦,୪୯୭ ଜଣ ନୂଆ ଭୋଟର ଯୋଡ଼ି ହୋଇଥିବା ବେଳେ ୪୪,୭୭୭ ଜଣଙ୍କ ନାଁ କଟିଛି। ଫଳରେ ଡ୍ରାଫ୍ଟରୁ ଚୂଡ଼ାନ୍ତ ତାଲିକା ମଧ୍ୟରେ ନିଟ୍ ୨,୪୫,୭୨୦ ଜଣ ଭୋଟର ବୃଦ୍ଧି ପାଇଛନ୍ତି।
ଚୂଡ଼ାନ୍ତ ତାଲିକାରେ କେତେ ଭୋଟର?
ଚୂଡ଼ାନ୍ତ ତାଲିକାରେ ୧,୬୧,୩୦,୩୧୯ ଜଣ ପୁରୁଷ ଓ ୧,୫୪,୯୯,୬୬୧ ଜଣ ମହିଳା ଭୋଟର ରହିଛନ୍ତି। ତୃତୀୟ ଲିଙ୍ଗ ଭୋଟରଙ୍କ ସଂଖ୍ୟା ୨,୭୭୪ ରହିଛି। EP ଅନୁପାତ ୬୭.୦୫ ଏବଂ ଲିଙ୍ଗ ଅନୁପାତ ୯୬୧ ରହିଛି। ଏହା ସହ ରାଜ୍ୟରେ ୪୬,୮୧୬ ଜଣ ସର୍ଭିସ ଭୋଟର ରହିଛନ୍ତି।
ପୋଲିଂ ଷ୍ଟେସନଗୁଡ଼ିକର ରାସନାଲାଇଜେସନ ପରେ ରାଜ୍ୟରେ ମୋଟ ୪୫,୨୫୦ଟି ପୋଲିଂ ଷ୍ଟେସନ ରହିଛି।
ନୋଟିସ, ଦାବି ଓ ଆପତ୍ତି
SIR ପ୍ରକ୍ରିୟାରେ ଅନମ୍ୟାପ୍ଡ ଓ ଲଜିକାଲ ଡିସକ୍ରେପାନ୍ସି ମାମଲାରେ ନୋଟିସ ଜାରି କରାଯାଇଥିଲା। ଏହା ସହ ଦାବି ଓ ଆପତ୍ତି ମଧ୍ୟ ଗ୍ରହଣ କରାଯାଇଥିଲା। ଶୁଣାଣି ପରେ ଅଯୋଗ୍ୟ ଚିହ୍ନଟ ହୋଇଥିବା ଭୋଟରଙ୍କ ନାଁ ବାଦ୍ ଦିଆଯାଇଛି। ଫର୍ମ-୭ ଜରିଆରେ ମଧ୍ୟ ଭୋଟରଙ୍କ ନାଁ ବାଦ୍ ଦିଆଯାଇଛି।
ତାଲିକାରେ ନାଁ ନଥିଲେ ଆବେଦନ କରିପାରିବେ
ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପରେ ମଧ୍ୟ ନାଗରିକମାନେ ନିଜ ନାଁ ଯାଞ୍ଚ କରିପାରିବେ। ଯୋଗ୍ୟ ନାଗରିକଙ୍କ ନାଁ ତାଲିକାରେ ନଥିଲେ ଫର୍ମ-୬ କିମ୍ବା ୬A ମାଧ୍ୟମରେ ଆବେଦନ କରାଯାଇପାରିବ। ତଥ୍ୟ ସଂଶୋଧନ ପାଇଁ ଫର୍ମ-୮ ଏବଂ ନାଁ ବାଦ୍ ଦେବା ପାଇଁ ଫର୍ମ-୭ର ବ୍ୟବସ୍ଥା ରହିଛି।
EROଙ୍କ ନିଷ୍ପତ୍ତିରେ ଅସନ୍ତୁଷ୍ଟ ବ୍ୟକ୍ତି ପ୍ରଥମ ଆପିଲ ଜିଲ୍ଲାପାଳ/DEOଙ୍କ ନିକଟରେ ଏବଂ ଦ୍ୱିତୀୟ ଆପିଲ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (CEO)ଙ୍କ ନିକଟରେ କରିପାରିବେ।
