ଜାତୀୟ ଦୁର୍ଘଟଣା ରାଜ୍ୟ ଲାଇଫ ଷ୍ଟାଇଲ ସାମାଜିକ ସ୍ୱତନ୍ତ୍ର

ଏକାଠି ଗଲେ, ଏକାଠି ଫେରିଲେନି—ନାଳଖେଡା ଦୁର୍ଘଟଣାରେ ଲିଭିଗଲା ଗୋଟିଏ ପରିବାରର ୩ ଜୀବନ

Spread the love

ଇଚ୍ଛାପୁରରେ ଶୋକର ଛାୟା; ବାପା, ମାଆ ଓ ପୁଅଙ୍କ ଅକାଳ ବିୟୋଗରେ ସ୍ତବ୍ଧ ଗାଁ

ବଡମ୍ବା: ମଧ୍ୟପ୍ରଦେଶର ଅଗର ମାଲୱା ଜିଲ୍ଲା ନାଳଖେଡାରେ ଘଟିଥିବା ଭୟାବହ କାର୍‌ ଦୁର୍ଘଟଣାରେ ଓଡ଼ିଶାର ୭ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ବଡମ୍ବା ବ୍ଲକ ଅନ୍ତର୍ଗତ ଇଚ୍ଛାପୁର ଗ୍ରାମ ପାଇଁ ଆଣିଛି ଅପୂରଣୀୟ କ୍ଷତି। ଗ୍ରାମର ଗୋଟିଏ ପରିବାରର ବାପା, ମାଆ ଓ ପୁଅଙ୍କ ଏକାସାଙ୍ଗରେ ମୃତ୍ୟୁ ଘଟିବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ମୃତକମାନେ ହେଲେ ଜ୍ଞାନେନ୍ଦ୍ର କୁମାର ବେହେରା, ତାଙ୍କ ପତ୍ନୀ ରିତାରାଣୀ ବେହେରା ଏବଂ ପୁଅ ବି. ସାଇ ସ୍ୱାତିକ। ଏକାଠି ଯାତ୍ରାରେ ବାହାରିଥିବା ପରିବାରର ଏହି ତିନି ସଦସ୍ୟ ଆଉ ଘରକୁ ଫେରିପାରିଲେ ନାହିଁ। ନାଳଖେଡାରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣା ସେମାନଙ୍କ ଜୀବନଯାତ୍ରାରେ ପୂର୍ଣ୍ଣଚ୍ଛେଦ ଟାଣିଦେଇଛି।

ଦୁର୍ଘଟଣାର ଖବର ଇଚ୍ଛାପୁରରେ ପହଞ୍ଚିବା ପରେ ପରିବାର, ଆତ୍ମୀୟସ୍ୱଜନ ଓ ଗ୍ରାମବାସୀ ସ୍ତବ୍ଧ ହୋଇପଡ଼ିଛନ୍ତି। ଏକାସାଙ୍ଗରେ ଗୋଟିଏ ପରିବାରର ତିନିଟି ଜୀବନ ଚାଲିଯିବା ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିଜନ। ଯେଉଁ ଘର ଦିନେ ପରିବାର ସଦସ୍ୟଙ୍କ ହସଖୁସିରେ ଭରି ରହୁଥିଲା, ସେଠାରେ ଏବେ ନୀରବତା ଓ ଶୋକର ପରିବେଶ।

ବାପା, ମାଆ ଓ ପୁଅଙ୍କ ଅକାଳ ବିୟୋଗକୁ ନେଇ ଗ୍ରାମବାସୀ ମଧ୍ୟ ଗଭୀର ଭାବେ ମର୍ମାହତ। ଆତ୍ମୀୟଙ୍କ ଆଖିରେ ଲୁହ ଥିବାବେଳେ ପରିଚିତ ଓ ପଡ଼ୋଶୀଙ୍କ ମଧ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ଜ୍ଞାନେନ୍ଦ୍ର କୁମାର ବେହେରା, ରିତାରାଣୀ ବେହେରା ଓ ବି. ସାଇ ସ୍ୱାତିକଙ୍କ ଅକାଳ ବିୟୋଗରେ ଇଚ୍ଛାପୁର ଗ୍ରାମବାସୀ ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ଆତ୍ମାର ସଦ୍‌ଗତି କାମନା କରିବା ସହ ଏହି ଅପୂରଣୀୟ କ୍ଷତି ସହିବାକୁ ଶୋକସନ୍ତପ୍ତ ପରିଜନଙ୍କୁ ଈଶ୍ୱର ଶକ୍ତି ଦିଅନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି।

Leave a Reply

Your email address will not be published. Required fields are marked *