ରାଜନୀତି ରାଜ୍ୟ ସାମାଜିକ ସ୍ୱତନ୍ତ୍ର

ଅପକର୍ମ ଢାଙ୍କିବାକୁ ବିଜେଡିର ନାଟକ: ଅମର ନାୟକ

Spread the love

ଆଲୋଚନା ହେଲେ ଖୋଲିଯିବ ପୂର୍ବ ସରକାରର ଖଣି ଦୁର୍ନୀତିର ଗୁମର ବୋଲି ବିଜେପି ବିଧାୟକଙ୍କ ଅଭିଯୋଗ

ଭୁବନେଶ୍ୱର: ଖଣି ପ୍ରସଙ୍ଗକୁ ନେଇ ବିଜେଡି ଓ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ବିଜେପି ବିଧାୟକ ଅମର ନାୟକ। ବିଧାନସଭାରେ ଖଣି ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହେଲେ ପୂର୍ବ ସରକାର ସମୟର ଅନେକ ଅନିୟମିତତା ସାମ୍ନାକୁ ଆସିବ ବୋଲି ସେ ଅଭିଯୋଗ କରିଛନ୍ତି।

ଅମର ନାୟକ କହିଛନ୍ତି, ରାଜ୍ୟର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ବିଧାନସଭା ହେଉଛି ସର୍ବୋଚ୍ଚ ଫୋରମ। କିନ୍ତୁ ବିରୋଧୀ ଦଳ ପ୍ରଶ୍ନକାଳରେ ଗୃହରେ ରହୁନାହାନ୍ତି ଏବଂ ମୁଲତବି ପ୍ରସ୍ତାବ ଉପରେ ଆଲୋଚନା କରିବାକୁ ମଧ୍ୟ ଆସୁନାହାନ୍ତି ବୋଲି ସେ କହିଛନ୍ତି।

ପୂର୍ବ ସରକାର ସମୟର କାର୍ଯ୍ୟକଳାପକୁ ଲୁଚାଇବା ପାଇଁ ବିଜେଡି ଓ କଂଗ୍ରେସ ରାଜନୈତିକ ନାଟକ କରୁଛନ୍ତି ବୋଲି ଅମର ନାୟକ ଅଭିଯୋଗ କରିଛନ୍ତି। ଖଣି କ୍ଷେତ୍ରରେ କିଏ ଦୁର୍ନୀତି କରିଛି ଏବଂ କିଏ ରାଜ୍ୟ ସ୍ୱାର୍ଥକୁ ଅଣଦେଖା କରି ନିଜ ସ୍ୱାର୍ଥ ପୂରଣ କରିଛି, ଗୃହରେ ଆଲୋଚନା ହେଲେ ସେସବୁ ସାମ୍ନାକୁ ଆସିଯିବ ବୋଲି ସେ ଦାବି କରିଛନ୍ତି।

ଏଥିସହ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (DMF) ପାଣ୍ଠିର ବ୍ୟବହାରକୁ ନେଇ ମଧ୍ୟ ସେ ପୂର୍ବତନ ବିଜେଡି ସରକାର ଉପରେ ଅଭିଯୋଗ ଆଣିଛନ୍ତି। DMF ପାଣ୍ଠିର ଅନୈତିକ ବ୍ୟବହାର ହୋଇଥିଲା ଏବଂ ଏହି ପ୍ରସଙ୍ଗକୁ ଘୋଡ଼ାଇବା ପାଇଁ ବିଜେଡି ଏବେ ନାଟକ କରୁଛି ବୋଲି ଅମର ନାୟକ କହିଛନ୍ତି।

ରାଜ୍ୟବାସୀ ଏସବୁ ବୁଝିସାରିଲେଣି ଏବଂ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ଏହାର ପ୍ରତିଫଳନ ଦେଖିବାକୁ ମିଳିବ ବୋଲି ବିଜେପି ବିଧାୟକ ଅମର ନାୟକ କହିଛନ୍ତି।

Leave a Reply

Your email address will not be published. Required fields are marked *