ଆଭ୍ୟନ୍ତରୀଣ କନ୍ଦଳ ବନ୍ଦ କରି ସଂଗଠନ ସୁଦୃଢ଼ କରିବାକୁ ମାନସମନ୍ଥନ; ଯୁବପିଢ଼ି ଓ ନୂଆ ମୁହଁଙ୍କୁ ଅଧିକ ସୁଯୋଗ ଦେବା ଉପରେ ଆଲୋଚନା
ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକରେ ପୁଣିଥରେ ଦଳୀୟ ଏକତା ପ୍ରସଙ୍ଗ ସାମ୍ନାକୁ ଆସିଛି। ନେତାଙ୍କ ଭାଷଣରେ ବାରମ୍ବାର ଶୁଣିବାକୁ ମିଳିଛି—‘ମୁଁ ନୁହେଁ, ଆମେ’। ଆଭ୍ୟନ୍ତରୀଣ ମତଭେଦକୁ ପଛରେ ପକାଇ ଆଗାମୀ ପଞ୍ଚାୟତ, ପୌର ଓ ୨୦୨୯ ସାଧାରଣ ନିର୍ବାଚନ ପାଇଁ ଏକାଠି ହୋଇ ସଂଗଠନକୁ ତୃଣମୂଳ ସ୍ତରରୁ ସୁଦୃଢ଼ କରିବା ଉପରେ ବୈଠକରେ ଜୋର ଦିଆଯାଇଛି।
ପିସିସିର ନବଗଠିତ କାର୍ଯ୍ୟକାରୀ କମିଟି ଓ କର୍ମକର୍ତ୍ତାଙ୍କ ପ୍ରଥମ ବୈଠକରେ କୃଷକ, ମହିଳା ଓ ଯୁବବର୍ଗଙ୍କ ପ୍ରସଙ୍ଗକୁ ପ୍ରାଥମିକତା ଦେବା ନେଇ ଆଲୋଚନା ହୋଇଛି। ବିଶେଷକରି Gen Z ଓ Gen Alpha ପିଢ଼ିକୁ ଦଳ ସହ ଯୋଡ଼ିବା ଏବଂ ନୂଆ ମୁହଁଙ୍କୁ ଅଧିକ ସୁଯୋଗ ଦେବା ଉପରେ ମାନସମନ୍ଥନ ହୋଇଛି।
ବୈଠକରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦଳ ଭିତରେ ସ୍ନେହ, ଶ୍ରଦ୍ଧା, ତ୍ୟାଗ ଓ ଭାଇଚାରାର ଆବଶ୍ୟକତା ଥିବା କହିଛନ୍ତି। ପୁରୁଣା ଓ ଅଭିଜ୍ଞ ନେତାମାନଙ୍କୁ ଅଣଦେଖା ନକରିବା ସହ ଯୁବପିଢ଼ିକୁ ଆଗକୁ ଆଣିବାକୁ ସେ ଗୁରୁତ୍ୱ ଦେଇଛନ୍ତି।
ସେହିପରି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଦଳର ଆଭ୍ୟନ୍ତରୀଣ କନ୍ଦଳ ପ୍ରସଙ୍ଗ ଉଠାଇଛନ୍ତି। ଦଳ ଭିତରେ ଚାଲିଥିବା ଲଢ଼େଇ ପ୍ରଥମେ ବନ୍ଦ ହେବା ଦରକାର ବୋଲି ସେ ମତ ରଖିଛନ୍ତି। ଜାତୀୟ ସ୍ତରରୁ ଆସୁଥିବା ପ୍ରସଙ୍ଗଗୁଡ଼ିକରେ ଦଳ ଯେପରି ସଂଗଠିତ ଭାବେ ପ୍ରତିବାଦ କରିବା କଥା, ତାହା ଆବଶ୍ୟକ ସ୍ତରରେ ହୋଇପାରୁନଥିବା ନେଇ ମଧ୍ୟ ସେ ମତ ରଖିଛନ୍ତି।
ବୈଠକର ଆଉ ଏକ ପ୍ରମୁଖ ଫୋକସ୍ ଥିଲା ଆଗାମୀ ନିର୍ବାଚନ। ପଞ୍ଚାୟତ ଓ ପୌର ନିର୍ବାଚନରେ କଂଗ୍ରେସ ଏକଜୁଟ ହୋଇ ଲଢ଼ିବା ସହ ୨୦୨୯ ସାଧାରଣ ନିର୍ବାଚନ ପୂର୍ବରୁ ସଂଗଠନକୁ ଅଧିକ ସୁଦୃଢ଼ କରିବା ନେଇ ଆଲୋଚନା ହୋଇଛି। ତୃଣମୂଳ ସ୍ତରରେ ସଂଗଠନକୁ ସକ୍ରିୟ କରି ପ୍ରତ୍ୟେକ ଅଞ୍ଚଳ ଓ ଲୋକଙ୍କ ପାଖରେ ପହଞ୍ଚିବାକୁ ଦଳ ଯୋଜନା ପ୍ରସ୍ତୁତ କରିବ।
ପାଠ୍ୟପୁସ୍ତକରେ ତ୍ରୁଟି ଏବଂ MMDR ସଂଶୋଧନ ଭଳି ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯିବାକୁ ମଧ୍ୟ କଂଗ୍ରେସ ଯୋଜନା କରିଛି। MMDR ସଂଶୋଧନକୁ ନେଇ କଂଗ୍ରେସ ଓ ଅନ୍ୟ INDIA ମେଣ୍ଟ ସହଯୋଗୀମାନେ ନିକଟରେ ରାଜ୍ୟବ୍ୟାପୀ ଆନ୍ଦୋଳନ କାର୍ଯ୍ୟକ୍ରମ ଘୋଷଣା କରିଥିଲେ। ଏହାର ଅଂଶ ଭାବେ ସେପ୍ଟେମ୍ବର ୨୯ରେ ବିଧାନସଭା ଘେରାଉ ଯୋଜନା ମଧ୍ୟ ରହିଛି।
ବୈଠକରେ AICC ଓଡ଼ିଶା ପ୍ରଭାରୀ ଲାଲଜି ଦେଶାଇ, ପିସିସି ସଭାପତି ଭକ୍ତ ଚରଣ ଦାସ, ସହପ୍ରଭାରୀ ଜେଟ୍ଟି କୁସୁମଙ୍କ ସହ ଦଳର ବହୁ ବରିଷ୍ଠ ନେତା ଯୋଗଦେଇଥିଲେ। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ସହ ପବିତ୍ର ସୌନ୍ତିଆ, ଅଶୋକ ଦାସ, ସାଗର ଦାସ ଓ ସି.ଏସ୍. ରାଜେନ ଏକ୍କା ପ୍ରମୁଖ ବିଧାୟକ ମଧ୍ୟ ସାମିଲ ହୋଇଥିଲେ।
ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଶରତ ପଟ୍ଟନାୟକ ଓ ନିରଞ୍ଜନ ପଟ୍ଟନାୟକଙ୍କ ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗଙ୍କ ଭଳି ବରିଷ୍ଠ ନେତାମାନେ ମଧ୍ୟ ବୈଠକରେ ନିଜ ମତ ରଖିଥିଲେ।
ସାରା ବୈଠକରେ ଦଳୀୟ ଏକତା, ପୁରୁଣା ଓ ନୂଆ ପିଢ଼ି ମଧ୍ୟରେ ସମନ୍ୱୟ ଏବଂ ତୃଣମୂଳ ସଂଗଠନକୁ ମଜଭୁତ କରିବା ଉପରେ ଜୋର ରହିଥିଲା। ‘ମୁଁ’ ବଦଳରେ ‘ଆମେ’ ମନ୍ତ୍ରକୁ ନେଇ ଆଗକୁ ବଢ଼ିବାକୁ ରାଜ୍ୟ କଂଗ୍ରେସ ନେତୃତ୍ୱ ବୈଠକରେ ବାର୍ତ୍ତା ଦେଇଛି।
