ଭୁବନେଶ୍ୱର: ଓଡ଼ିଶାରେ ବାସହୀନ ପରିବାରଙ୍କୁ ଆବାସ ଯୋଗାଇବା ନେଇ ବଡ଼ ବୟାନ ଦେଇଛନ୍ତି କେନ୍ଦ୍ର ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ କମଲେଶ ପାସୱାନ। ସର୍ଭେ ଆଧାରରେ ଚିହ୍ନଟ ହେଉଥିବା ସମସ୍ତ ଯୋଗ୍ୟ ବାସହୀନ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।
କେନ୍ଦ୍ରମନ୍ତ୍ରୀଙ୍କ କହିବା ଅନୁସାରେ, ଦେଶର ବିଭିନ୍ନ ରାଜ୍ୟରୁ ଏନେଇ ରିପୋର୍ଟ ମଗାଯାଇଛି ଏବଂ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତି କାମ ଚାଲିଛି। ଯେଉଁ ଯୋଗ୍ୟ ପରିବାରଙ୍କ ନିଜସ୍ୱ ଆବାସ ନାହିଁ, ସେମାନଙ୍କୁ ସର୍ଭେ ଆଧାରରେ ଚିହ୍ନଟ କରି ଆବାସ ଯୋଗାଇବା ଲକ୍ଷ୍ୟ ରହିଥିବା ସେ କହିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରୁ ଦେଶର କୌଣସି ବ୍ୟକ୍ତି ଘର କିମ୍ବା ଶୌଚାଳୟ ବିନା ରହିବେ ନାହିଁ ବୋଲି କହିଥିବା ଉଲ୍ଲେଖ କରି ପାସୱାନ କହିଛନ୍ତି ଯେ, ଏହାପରେ ଗ୍ରାମୀଣ ବିକାଶ ବିଭାଗ ପକ୍ଷରୁ ଦେଶବ୍ୟାପୀ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି।
ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ବିହାର ଓ ପଞ୍ଜାବ ଭଳି ବିଭିନ୍ନ ରାଜ୍ୟରେ ସର୍ଭେ ଆଧାରରେ ଯୋଗ୍ୟ ବାସହୀନ ପରିବାରଙ୍କୁ ପିଏମ୍ ଆବାସ ଯୋଗାଇ ଦିଆଯିବ। ଓଡ଼ିଶାରେ ମଧ୍ୟ ଏହି ପ୍ରକ୍ରିୟା ଶୀଘ୍ର ଆଗକୁ ବଢ଼ିବ ବୋଲି ସେ କହିଛନ୍ତି।
ଅନ୍ୟପଟେ ଆବାସ ପ୍ରସଙ୍ଗରେ ବିରୋଧୀଙ୍କ ସମାଲୋଚନାର ଜବାବ ଦେଇ କମଲେଶ ପାସୱାନ କହିଛନ୍ତି, ଅଭିଯୋଗ କରିବା ସହଜ। ଯେଉଁମାନେ ଏବେ ଅଭିଯୋଗ କରୁଛନ୍ତି, ସେମାନେ ଓଡ଼ିଶାରେ କେତେ ବର୍ଷ ଶାସନ କରିଛନ୍ତି ତାହା ମଧ୍ୟ ଦେଖିବା ଦରକାର। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଆବାସ ଯୋଗାଣ ସହ ଗ୍ରାମୀଣ ସଡ଼କ ନିର୍ମାଣ କାର୍ଯ୍ୟକୁ ମଧ୍ୟ ଆଗକୁ ବଢ଼ାଯିବ ବୋଲି ସେ କହିଛନ୍ତି।
କମଲେଶ ପାସୱାନ, କେନ୍ଦ୍ର ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ
