ଭୁବନେଶ୍ୱର: ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାକୁ ବିଜେଡି ସମର୍ଥନ କରିବ ନାହିଁ। ଏନେଇ ସ୍ପଷ୍ଟ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ।
ବନ୍ଦ ଡାକରା ପ୍ରସଙ୍ଗରେ ପ୍ରମିଳା କହିଛନ୍ତି, “ଯିଏ ବନ୍ଦ ଡାକରା ଦେଇଛନ୍ତି, ସେ କଣ ଆମକୁ ପଚାରି ବନ୍ଦ ଡାକରା ଦେଇଥିଲେ?” ତେଣୁ ଏହି ବନ୍ଦକୁ ବିଜେଡି ସମର୍ଥନ କରିବାର ପ୍ରଶ୍ନ ଉଠୁନାହିଁ ବୋଲି ତାଙ୍କ ବକ୍ତବ୍ୟରୁ ସ୍ପଷ୍ଟ ହୋଇଛି।
ସେ କହିଛନ୍ତି, SIR ଏବଂ ଜ୍ଞାନେଶ କୁମାରଙ୍କ ପ୍ରସଙ୍ଗରେ ହିଁ ବିଜେଡି ଇଣ୍ଡିଆ ମେଣ୍ଟକୁ ସମର୍ଥନ କରିଥିଲା। ଏହାର ଅର୍ଥ ବିଜେଡି ଇଣ୍ଡିଆ ମେଣ୍ଟର ଅଂଶ ହୋଇଯାଇଛି ବୋଲି ନୁହେଁ।
“ବିଜେଡି କୌଣସି ମେଣ୍ଟରେ ନାହିଁ। ଆମେ ସମଦୂରତା ନୀତି ପାଳନ କରୁଛୁ,” ବୋଲି ପ୍ରମିଳା ମଲ୍ଲିକ କହିଛନ୍ତି। ତାଙ୍କର ଏହି ବୟାନ ପରେ ଓଡ଼ିଶା ବନ୍ଦକୁ ବିଜେଡିର ସମର୍ଥନ ନେଇ ଚାଲିଥିବା ଚର୍ଚ୍ଚା ଉପରେ ଦଳ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛି।
