ଭୁବନେଶ୍ୱର: ଆସନ୍ତାକାଲି କଂଗ୍ରେସ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରା ଏବଂ ଏହାକୁ ବିଜେଡିର ସମର୍ଥନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ବନ୍ଦର ପ୍ରଭାବ କେତେ ରହିବ, ତାହା ଜନତା ଦେଖିବେ ବୋଲି ସେ କହିଛନ୍ତି।
କଂଗ୍ରେସ ଓ ବିଜେଡିକୁ ନିଶାନା କରି ମନମୋହନ କହିଛନ୍ତି, “ରଫୁ ହୋଇଥିବା ସାର୍ଟକୁ ଯେତେ ସିଲେଇ କରି ପିନ୍ଧିଲେ ମଧ୍ୟ ତାହା ଚିରିଯିବ।” ଏଥିସହ ବିଜେଡି ଇଣ୍ଡି ମେଣ୍ଟ ସହିତ ମିଶିଯିବା ଦରକାର ବୋଲି ସେ କଟାକ୍ଷ କରିଛନ୍ତି। ବିରୋଧୀ ଦଳଗୁଡ଼ିକ ଯେତେ ଏକଜୁଟ ହେବେ, ସରକାରୀ ଦଳ ସେତେ ଶକ୍ତିଶାଳୀ ହେବ ବୋଲି ମନମୋହନ କହିଛନ୍ତି।
ବିରୋଧୀ ଦଳଗୁଡ଼ିକ ଭୁଲ ତଥ୍ୟ ଦେଇ ଲୋକଙ୍କୁ ଭ୍ରମିତ କରୁଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି। ତାଙ୍କ କହିବା କଥା, ଭୁଲ ତଥ୍ୟ ଓ ଭ୍ରାନ୍ତ ଧାରଣା ସୃଷ୍ଟି କରି କିଛି ସମୟ ପାଇଁ ଲୋକଙ୍କୁ ଭ୍ରମିତ କରାଯାଇପାରେ, କିନ୍ତୁ ସବୁବେଳେ ଲୋକଙ୍କୁ ଭ୍ରମିତ କରିହେବ ନାହିଁ।
ଖଣି ରାଜସ୍ୱ ପ୍ରସଙ୍ଗ ଉଠାଇ ମନମୋହନ କହିଛନ୍ତି ଯେ, ପୂର୍ବରୁ ଖଣିରୁ ରାଜ୍ୟକୁ କେତେ ଅର୍ଥ ମିଳୁଥିଲା ଏବଂ ବର୍ତ୍ତମାନ କେତେ ମିଳୁଛି, ତାହା ଜନସାଧାରଣଙ୍କ ସାମ୍ନାରେ ରହିଛି। ବର୍ତ୍ତମାନ ଖଣି କ୍ଷେତ୍ରରୁ ପ୍ରାୟ ୬୦ ହଜାର କୋଟି ଟଙ୍କା ମିଳୁଥିବା ଦାବି କରି ସେ କହିଛନ୍ତି, ସତ୍ୟ ପ୍ରମାଣିତ ହୋଇସାରିଛି। ତେଣୁ ବିରୋଧୀ ସତ୍ୟକୁ ଲୁଚାଇ କଣ ଲାଭ ପାଇବେ ବୋଲି ସେ ପ୍ରଶ୍ନ କରିଛନ୍ତି।
ବାଇଟ୍: ମନମୋହନ ସାମଲ, ରାଜ୍ୟ ବିଜେପି ସଭାପତି
