ଭୁବନେଶ୍ୱର: ଧର୍ମଶାଳାର ଗଡ଼ମଧୁପୁରରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପରେ ହୋଇଥିବା କଥିତ ସଂଘବଦ୍ଧ ଆକ୍ରମଣକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେଡି। ପୋଲିସ ଉପସ୍ଥିତିରେ ତାଙ୍କ ଉପରେ ଆକ୍ରମଣ କରାଯିବା ସହ ଜୀବନରୁ ମାରିଦେବାକୁ ଉଦ୍ୟମ ହୋଇଥିବା ବିଜେଡି ଅଭିଯୋଗ କରିଛି।
ବିଜେଡି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ, ଗତକାଲି ଗଡ଼ମଧୁପୁରରେ ୫୦ରୁ ଅଧିକ ଲୋକ ପ୍ରଣବ ବଳବନ୍ତରାୟଙ୍କୁ ଘେରି ଆକ୍ରମଣ କରିଥିଲେ। ଦଳ ଏହି ଘଟଣାକୁ ଦୃଢ଼ ନିନ୍ଦା କରିବା ସହ ଏହା ଧର୍ମଶାଳାର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ଦର୍ଶାଉଛି ବୋଲି ଅଭିଯୋଗ କରିଛି।
ଧର୍ମଶାଳାରେ ବାରମ୍ବାର ଆଇନଶୃଙ୍ଖଳାଜନିତ ପରିସ୍ଥିତି ସୃଷ୍ଟି ହେଉଥିବା ଅଭିଯୋଗ କରି ବିଜେଡି ଜେନାପୁର ଆଇଆଇସିଙ୍କୁ ତୁରନ୍ତ ବଦଳି କରିବାକୁ ଦାବି କରିଛି। ଏଥିସହ ଆକ୍ରମଣରେ ସାମିଲ ଅଭିଯୁକ୍ତମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଯାଜପୁର ଏସ୍ପିଙ୍କ ନିକଟରେ ଦାବି ରଖିଛି।
ଏସ୍ପିଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ ଉଚିତ ପଦକ୍ଷେପ ନିଆଯାଉ ନଥିବା ବିଜେଡି ଅଭିଯୋଗ କରିଛି। ଜେନାପୁର ଆଇଆଇସି କୌଣସି ଚାପରେ କାର୍ଯ୍ୟ କରୁଛନ୍ତି କି ନାହିଁ, ସେନେଇ ଏସ୍ପି ଦୃଷ୍ଟି ଦେବା ଉଚିତ ବୋଲି ଦଳ କହିଛି।
ଧର୍ମଶାଳାରେ ଆଇନଶୃଙ୍ଖଳା ସ୍ଥିତି ସୁଧାରିବା ସହ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ବିଜେଡି ଦାବି କରିଛି।
ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପରେ ଆକ୍ରମଣ ଅଭିଯୋଗ; ସରକାରଙ୍କୁ ଘେରିଲା ବିଜେଡି
