ଛୁଟିରେ ଥିବା କର୍ମଚାରୀଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ; ଦକ୍ଷିଣ ଓଡ଼ିଶାର ଏକାଧିକ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ପାଣିପାଗ ବ୍ୟବସ୍ଥା ଗଭୀର ଅବପାତର ରୂପ ନେବା ସମ୍ଭାବନା ଏବଂ ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଅତି ପ୍ରବଳ ବର୍ଷା ଆଶଙ୍କାକୁ ନେଇ ସଜାଗ ହୋଇଛନ୍ତି ରାଜ୍ୟ ସରକାର। ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଛୁଟିରେ ଥିବା କର୍ମଚାରୀଙ୍କୁ ମଧ୍ୟ ତୁରନ୍ତ ଫେରି କାର୍ଯ୍ୟରେ ଯୋଗଦେବାକୁ କୁହାଯାଇଛି।
ସମ୍ଭାବ୍ୟ ବନ୍ୟା, ଜଳବନ୍ଦୀ ଓ ଭୂସ୍ଖଳନ ଭଳି ସ୍ଥିତିକୁ ଦୃଷ୍ଟିରେ ରଖି ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକୁ ଚିହ୍ନଟ କରିବା ସହ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବାକୁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି। ଆବଶ୍ୟକ ପଡ଼ିଲେ ବିପଦପ୍ରବଣ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ସହ ଉଦ୍ଧାର ଓ ରିଲିଫ୍ ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।
ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳରେ ODRAF ଟିମ୍ ଓ ଆବଶ୍ୟକ ଉଦ୍ଧାର ସରଞ୍ଜାମ ମୁତୟନ ପାଇଁ ପଦକ୍ଷେପ ନିଆଯାଇଛି। ଗଭୀର ଅବପାତ ପ୍ରଭାବରେ ହେବାକୁ ଥିବା ପ୍ରବଳ ବର୍ଷାକୁ ନଜରରେ ରଖି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ରାଜ୍ୟର ପ୍ରସ୍ତୁତି ସମୀକ୍ଷା କରିଛନ୍ତି। SRCଙ୍କ ପକ୍ଷରୁ ମଧ୍ୟ ପରିସ୍ଥିତି ଉପରେ ନଜର ରଖାଯାଇଛି।
୨୩ରୁ ୨୫ ସେପ୍ଟେମ୍ବର ମଧ୍ୟରେ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ୨୩-୨୪ ସେପ୍ଟେମ୍ବର ପାଇଁ କୋରାପୁଟ, ଗଜପତି ଓ ଗଞ୍ଜାମରେ ଅତି ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷାର ଆଶଙ୍କା ଥିବାବେଳେ ୨୪-୨୫ ସେପ୍ଟେମ୍ବର ପାଇଁ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ପାଇଁ ରେଡ୍ ୱାର୍ଣ୍ଣିଂ ରହିଛି।
ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ବଜ୍ରପାତ ଓ ଘଡ଼ଘଡ଼ି ସହ ବର୍ଷା ହେବାର ଆଶଙ୍କା ରହିଥିବାରୁ ସମ୍ପୃକ୍ତ ଜିଲ୍ଲା ପ୍ରଶାସନଗୁଡ଼ିକୁ ସତର୍କ ରଖାଯାଇଛି।
ବର୍ତ୍ତମାନ ଦକ୍ଷିଣ ଓଡ଼ିଶାର ନଦୀଗୁଡ଼ିକର ଜଳସ୍ତର ବିପଦ ସଙ୍କେତଠାରୁ ତଳେ ରହିଛି। ପ୍ରମୁଖ ଜଳଭଣ୍ଡାରଗୁଡ଼ିକର ଜଳସ୍ତର ଉପରେ ମଧ୍ୟ ପ୍ରଶାସନ ପକ୍ଷରୁ ନିରନ୍ତର ନଜର ରଖାଯାଉଛି।
ଏପଟେ ସମୁଦ୍ର ଅଶାନ୍ତ ରହିବା ଆଶଙ୍କା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ୨୪ ସେପ୍ଟେମ୍ବର ପର୍ଯ୍ୟନ୍ତ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି। ସମୁଦ୍ରରେ ଥିବା ମତ୍ସ୍ୟଜୀବୀଙ୍କୁ ମଧ୍ୟ ଫେରିଆସିବାକୁ କୁହାଯାଇଛି।
IMDର ଆକଳନ ଅନୁସାରେ ପାଣିପାଗ ବ୍ୟବସ୍ଥାଟି ଆହୁରି ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବା ସହ ୨୩ ସେପ୍ଟେମ୍ବର ରାତିରୁ ୨୪ ତାରିଖ ଭୋର ମଧ୍ୟରେ ବିଶାଖାପାଟଣା ଓ ଗୋପାଳପୁର ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିପାରେ।
