ଗଭୀର ଅବପାତର ରୂପ ନେଇପାରେ ବଙ୍ଗୋପସାଗର ଲଘୁଚାପ; ୧୧ ଜିଲ୍ଲା ଉପରେ ପ୍ରଭାବ, ୨୩ ଓ ୨୪ରେ ପ୍ରବଳ ବର୍ଷା ଆଶଙ୍କା
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବାତ୍ୟାର ରୂପ ନେବା ପରିବର୍ତ୍ତେ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଓଡ଼ିଶାରେ ବଡ଼ ବର୍ଷା ହେବାର ଆଶଙ୍କା ଥିବାବେଳେ ରାଜ୍ୟର ୧୧ଟି ଜିଲ୍ଲା ପ୍ରଭାବିତ ହୋଇପାରେ। ଆସନ୍ତାକାଲିଠାରୁ ବର୍ଷା ଆରମ୍ଭ ହେବା ସହ ୨୩ ଓ ୨୪ ତାରିଖରେ ପ୍ରବଳ ବର୍ଷାର ଆଶଙ୍କା ରହିଛି।
ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଗାମୀ ଦୁଇ ଦିନକୁ ସମ୍ବେଦନଶୀଳ ବୋଲି ବିବେଚନା କରାଯାଇଛି। ବିଶେଷକରି ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକ ଉପରେ ପ୍ରଶାସନର ନଜର ରହିଛି। ସମ୍ପୃକ୍ତ ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ସହ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସମ୍ଭାବ୍ୟ ପ୍ରବଳ ବର୍ଷାକୁ ନଜରରେ ରଖି ବିଭିନ୍ନ ଡ୍ୟାମର ଜଳଧାରଣ କ୍ଷମତା ଓ ବର୍ତ୍ତମାନର ଜଳସ୍ତର ସମୀକ୍ଷା କରାଯାଇଛି। ଇନ୍ଦ୍ରାବତୀ ଓ ତେଲିଙ୍ଗିରି ଡ୍ୟାମରେ ଜଳସ୍ତର କମାଇବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ବାଲିମେଳା ଓ କୋଲାବ ଜଳଭଣ୍ଡାରରେ ବର୍ତ୍ତମାନ ସେତେଟା ଜଳ ନଥିବା ସୂଚନା ମିଳିଛି।
ସମସ୍ତ ଜିଲ୍ଲାରେ କଣ୍ଟ୍ରୋଲ ରୁମ୍ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏସ୍ଆର୍ସିଙ୍କ କାର୍ଯ୍ୟାଳୟରେ ମଧ୍ୟ ଆଜିଠାରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ପରିଚାଳନା ଆରମ୍ଭ ହୋଇଛି। ସହରାଞ୍ଚଳରେ ପାଣି ଜମିବାର ଆଶଙ୍କା ଥିବା ସ୍ଥାନଗୁଡ଼ିକରେ ଆବଶ୍ୟକ ମାନବସମ୍ବଳ ଓ ମେସିନ୍ ପ୍ରସ୍ତୁତ ରଖିବାକୁ କୁହାଯାଇଛି।
ସେହିପରି ଆବଶ୍ୟକ ସ୍ଥଳେ ଗର୍ଭବତୀ ମହିଳାମାନଙ୍କୁ ଆଗୁଆ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ଏବଂ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀଗୁଡ଼ିକୁ ପ୍ରସ୍ତୁତ ରଖିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ରହିଛି। ସମୁଦ୍ର ଅଶାନ୍ତ ରହିବାର ଆଶଙ୍କା ଥିବାରୁ ଆଜିଠାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବା ପାଇଁ କୁହାଯାଇଛି।
ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସମ୍ଭାବ୍ୟ ପାଣିପାଗ ପରିସ୍ଥିତି ଓ ପ୍ରଶାସନିକ ପ୍ରସ୍ତୁତି ନେଇ ହୋଇଥିବା ସମୀକ୍ଷା ବୈଠକ ପରେ ଏସବୁ ନିଷ୍ପତ୍ତି ନିଆଯାଇଛି। ବୈଠକରେ ଏସ୍ଆର୍ସି, ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା, ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ, ଅଗ୍ନିଶମ ଡିଜି ଏବଂ ଆଇନଶୃଙ୍ଖଳା ଏଡିଜିଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
