ଜାତୀୟ ରାଜନୀତି ରାଜ୍ୟ ସାମାଜିକ ସ୍ୱତନ୍ତ୍ର

ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ

Spread the love

‘ମହାନଦୀ ଜଳ ପ୍ରସଙ୍ଗ ଏବେ ବିବାଦ ନୁହେଁ, ଖୁବଶୀଘ୍ର ସମାଧାନ ହେବ’

ଭୁବନେଶ୍ୱର, ୨୦ ସେପ୍ଟେମ୍ବର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ। ଭୁବନେଶ୍ୱରରେ ପହଞ୍ଚିବା ପରେ ଦୀର୍ଘଦିନର ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳ ବିବାଦକୁ ନେଇ ସେ ବଡ଼ ବୟାନ ଦେଇଛନ୍ତି। ମହାନଦୀ ଜଳ ପ୍ରସଙ୍ଗ ଏବେ ଆଉ ବିବାଦୀୟ ସ୍ଥିତିରେ ନାହିଁ ଏବଂ ଖୁବଶୀଘ୍ର ଏହାର ସମାଧାନ ହେବ ବୋଲି ସାଏ କହିଛନ୍ତି।

ସାଏ କହିଛନ୍ତି, ଓଡ଼ିଶା ଓ ଛତିଶଗଡ଼ରେ ବିଜେପି ସରକାର ଥିବାବେଳେ କେନ୍ଦ୍ରରେ ଏନ୍‌ଡିଏ ସରକାର ରହିଛି। ତେଣୁ ମହାନଦୀ ଜଳ ବଣ୍ଟନ ପ୍ରସଙ୍ଗରେ ଦୁଇ ରାଜ୍ୟ ମଧ୍ୟରେ ଆଉ ବିବାଦୀୟ ପରିସ୍ଥିତି ନାହିଁ ବୋଲି ସେ ଦାବି କରିଛନ୍ତି। ବିଜେପି ସରକାର ଆସିବା ପରେ ବିଭିନ୍ନ ରାଜ୍ୟର ଜଳ ବିବାଦ ସମାଧାନ ଦିଗରେ ଆଗକୁ ବଢ଼ୁଛି ବୋଲି ମଧ୍ୟ ସାଏ କହିଛନ୍ତି।

ମହାନଦୀ ପ୍ରସଙ୍ଗରେ ଦୁଇ ରାଜ୍ୟ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା ହୋଇସାରିଥିବା ସେ ସୂଚନା ଦେଇଛନ୍ତି। ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଷ୍ଣୁ ଦେଓ ସାଏ ଏବଂ ଦୁଇ ରାଜ୍ୟର ବରିଷ୍ଠ ଅଧିକାରୀମାନେ ଦିଲ୍ଲୀରେ ଏନେଇ ଆଲୋଚନା କରିଥିଲେ। ଜୁଲାଇ ୩୦ରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର୍. ପାଟିଲଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିବା କେନ୍ଦ୍ର ସରକାର ମଧ୍ୟ ସୂଚନା ଦେଇଥିଲେ।

କେନ୍ଦ୍ରୀୟ ଜଳ ଆୟୋଗ (CWC) ଏହି ପ୍ରସଙ୍ଗରେ ଯେଉଁ ନିଷ୍ପତ୍ତି ନେବ, ତାହାକୁ ଉଭୟ ରାଜ୍ୟ ଗ୍ରହଣ କରିବାକୁ ସହମତ ହୋଇଥିବା ସାଏ କହିଛନ୍ତି। ଦୁଇ ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି CWC ଯେଉଁ ନିଷ୍ପତ୍ତି ନେବ, ତାହାକୁ ସମ୍ମାନ ଦିଆଯିବ ବୋଲି ସେ କହିଛନ୍ତି।

ତେବେ ଆନୁଷ୍ଠାନିକ ଭାବେ ମହାନଦୀ ଜଳ ବିବାଦର ପ୍ରକ୍ରିୟା ଏବେ ମଧ୍ୟ ଜାରି ରହିଛି। ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ ମାମଲାର ପରବର୍ତ୍ତୀ ଶୁଣାଣିକୁ ସେପ୍ଟେମ୍ବର ୨୮କୁ ଘୁଞ୍ଚାଇଛନ୍ତି। CWC ଅଧ୍ୟକ୍ଷତାରେ ଉଭୟ ରାଜ୍ୟର ବୈଷୟିକ ଟିମ୍ ଆଲୋଚନା ଜାରି ରଖିଛନ୍ତି।

“ସମସ୍ୟାର ସମାଧାନ ପାଇଁ କିଛି ସମୟ ଲାଗେ। କିନ୍ତୁ ଖୁବଶୀଘ୍ର ଏହାର ସମାଧାନ ହେବ,” ବୋଲି ବିଷ୍ଣୁ ଦେଓ ସାଏ ଆଶା ପ୍ରକାଶ କରିଛନ୍ତି। ଓଡ଼ିଶା ଗସ୍ତ ସମୟରେ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ମଧ୍ୟ ଭେଟିଛନ୍ତି।

Leave a Reply

Your email address will not be published. Required fields are marked *