Business Economy ରାଜନୀତି ରାଜ୍ୟ ସାମାଜିକ

ସମ୍ବଲପୁରରେ ୯୬୦ କୋଟିର ୫୦ ବିକାଶ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ

Spread the love

୧୩୩.୪୭ କୋଟିର ପ୍ରକଳ୍ପ ଲୋକାର୍ପଣ, ୮୨୫.୮୩ କୋଟିର ପ୍ରକଳ୍ପର ଶିଳାନ୍ୟାସ; ଦେଶର ୫୧ତମ ଡପ୍‌ଲର ପାଣିପାଗ ରାଡାର୍ ଲୋକାର୍ପିତ

ଭୁବନେଶ୍ୱର/ସମ୍ବଲପୁର, ୧୬ ସେପ୍ଟେମ୍ବର ୨୦୨୬: ପଶ୍ଚିମ ଓଡ଼ିଶାର ବିକାଶକୁ ନୂଆ ଗତି ଦେବା ଲକ୍ଷ୍ୟରେ ସମ୍ବଲପୁରରେ ପ୍ରାୟ ୯୬୦ କୋଟି ଟଙ୍କାର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟଠାରେ ଆୟୋଜିତ ସମାରୋହରେ ମୁଖ୍ୟମନ୍ତ୍ରୀ ୧୩୩.୪୭ କୋଟି ଟଙ୍କାର ୧୫ଟି ସମ୍ପୂର୍ଣ୍ଣ ପ୍ରକଳ୍ପକୁ ଲୋକାର୍ପଣ କରିଥିବାବେଳେ ୮୨୫.୮୩ କୋଟି ଟଙ୍କାର ୩୫ଟି ନୂତନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି।

ଏହି ଅବସରରେ ସମ୍ବଲପୁର ଓ ସମଗ୍ର ପଶ୍ଚିମ ଓଡ଼ିଶାର ପାଣିପାଗ ଓ ବିପର୍ଯ୍ୟୟ ପରିଚାଳନାକୁ ଅଧିକ ସୁଦୃଢ଼ କରିବା ପାଇଁ ‘ମେକ୍ ଇନ୍ ଇଣ୍ଡିଆ’ ଡପ୍‌ଲର ପାଣିପାଗ ରାଡାର୍ (DWR) ମଧ୍ୟ ଲୋକାର୍ପିତ ହୋଇଛି। ଏହା ଦେଶର ୫୧ତମ ଡପ୍‌ଲର ପାଣିପାଗ ରାଡାର୍ ବୋଲି କୁହାଯାଇଛି।

୧୩ଟି ଜିଲ୍ଲାର ପାଣିପାଗ ଉପରେ ନଜର

ସମ୍ବଲପୁରରେ ସ୍ଥାପିତ ଏହି ଅତ୍ୟାଧୁନିକ ରାଡାର୍ ପଶ୍ଚିମ ଓଡ଼ିଶାର ୧୩ଟି ଜିଲ୍ଲାର ପାଣିପାଗ ସମ୍ପର୍କରେ ତଥ୍ୟ ଯୋଗାଇବ। ଘୂର୍ଣ୍ଣିବାତ୍ୟା, ପ୍ରବଳ ବର୍ଷା, ବଜ୍ରପାତ ଓ ଅନ୍ୟାନ୍ୟ ପାଣିପାଗଜନିତ ବିପଦର ପୂର୍ବାନୁମାନ ଓ ନିରୀକ୍ଷଣରେ ଏହା ସହାୟକ ହେବ। ଏହା ଫଳରେ ଧନଜୀବନ ସୁରକ୍ଷା ସହ ଜଳସେଚନ କ୍ଷେତ୍ରରେ ମଧ୍ୟ ରାଡାର୍‌ଟି ଉପକାରୀ ସାବ୍ୟସ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି ଯେ ଦେଶରେ ଆହୁରି ୪୦ଟି ଡପ୍‌ଲର ପାଣିପାଗ ରାଡାର୍ ସ୍ଥାପନ କରାଯିବ। ଏହାସହ ବାଲେଶ୍ୱର, ଭୁବନେଶ୍ୱର ଓ ପୁରୀରେ ମଧ୍ୟ ଡପ୍‌ଲର ରାଡାର୍ ସ୍ଥାପନ ପାଇଁ ପଦକ୍ଷେପ ନିଆଯାଉଥିବା ସେ ସୂଚନା ଦେଇଛନ୍ତି।

ସଡ଼କ, ଜଳସେଚନ, କ୍ରୀଡ଼ା ଓ ସ୍ୱାସ୍ଥ୍ୟକୁ ଗୁରୁତ୍ୱ

ଲୋକାର୍ପଣ ଓ ଶିଳାନ୍ୟାସ ହୋଇଥିବା ପ୍ରକଳ୍ପଗୁଡ଼ିକରେ ସ୍ୱାସ୍ଥ୍ୟ, ଗ୍ରାମ୍ୟ ଉନ୍ନୟନ, କ୍ରୀଡ଼ା, ସଡ଼କ ଓ କୋଠା ନିର୍ମାଣ ଏବଂ ଜଳସମ୍ପଦ ଭଳି ବିଭିନ୍ନ କ୍ଷେତ୍ର ସାମିଲ ରହିଛି। କୁଚିଣ୍ଡା ପାଇଁ ୬୦.୫୦ କୋଟି ଟଙ୍କାର ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ, ୭୪.୭୨ କୋଟି ଟଙ୍କାର କ୍ରୀଡ଼ା ପ୍ରକଳ୍ପ, ୫୮୫ କୋଟି ଟଙ୍କାର ସଡ଼କ ଓ କୋଠା ନିର୍ମାଣ କାର୍ଯ୍ୟ ସହ ଜଳସମ୍ପଦ କ୍ଷେତ୍ରରେ ୨୨୦.୫୬ କୋଟି ଟଙ୍କାର ମେଗା ଲିଫ୍ଟ ଜଳସେଚନ ଏବଂ ୮.୮୮ କୋଟି ଟଙ୍କାର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ରହିଛି।

ଜାନୁଆରୀରୁ ସେପ୍ଟେମ୍ବର ମଧ୍ୟରେ ୧,୯୧୦ କୋଟିର କାର୍ଯ୍ୟ

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ୨୦୨୬ ଜାନୁଆରୀରେ ସମ୍ବଲପୁର ପାଇଁ ୯୪୮ କୋଟି ଟଙ୍କାର ପ୍ରକଳ୍ପ ସହ ୫୦ଟି ବୈଦ୍ୟୁତିକ ବସ୍‌ର ଶୁଭାରମ୍ଭ କରାଯାଇଥିଲା। ଅଇଁଠାପାଲି ବସ୍ ଟର୍ମିନାଲ୍ ଓ ଏହାର ୧୦ ବର୍ଷର ରକ୍ଷଣାବେକ୍ଷଣ ପାଇଁ ୨୩୮.୧୪ କୋଟି ଟଙ୍କା ବ୍ୟୟବରାଦ ହୋଇଛି।

ସେହିପରି ସହରର ଜଳସଙ୍କଟ ଓ ଜଣ୍ଡିସ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ AMRUT ୨.୦ ଅଧୀନରେ ୪୫୦ କୋଟି ଟଙ୍କାର ‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍’ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଏହା ମାଧ୍ୟମରେ ସମ୍ବଲପୁରର ୪୧ଟି ୱାର୍ଡକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣର ଲକ୍ଷ୍ୟ ରହିଛି।

ବୁର୍ଲା ଓ ହୀରାକୁଦ ରିଙ୍ଗ୍ ରୋଡ୍, ରେମେଡ୍-ହୀରାକୁଦ ୪-ଲେନ୍ ରାସ୍ତା ଆଦିର ସମ୍ପ୍ରସାରଣ କାର୍ଯ୍ୟ ମଧ୍ୟ ଚାଲିଛି। ମୁଖ୍ୟମନ୍ତ୍ରୀଙ୍କ ଅନୁସାରେ, ୨୦୨୬ ଜାନୁଆରୀରୁ ସେପ୍ଟେମ୍ବର ମଧ୍ୟରେ ସମ୍ବଲପୁର ପାଇଁ ପ୍ରାୟ ୧,୯୧୦ କୋଟି ଟଙ୍କାର ବିକାଶମୂଳକ କାର୍ଯ୍ୟ କରାଯାଇଛି।

ଶିଳ୍ପ ଓ ନିଯୁକ୍ତି ଉପରେ ଫୋକସ୍

ପଶ୍ଚିମ ଓଡ଼ିଶାର ଶିଳ୍ପ ବିକାଶ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲପଙ୍ଗାରେ ହିଣ୍ଡାଲ୍‌କୋର ସମ୍ପ୍ରସାରଣ ପାଇଁ ୪୦,୦୦୦ କୋଟି ଟଙ୍କା ଏବଂ ରେଙ୍ଗାଲିରେ JSW-JFE ଷ୍ଟିଲ୍ ପକ୍ଷରୁ ୩୨,୦୦୦ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି।

ଏହାସହ ସମ୍ବଲପୁରରେ କୃଷି ଭବନ, ଛାତ୍ରୀ ନିବାସ, ସମ୍ବଲପୁର ଫୁଟବଲ୍ ଏକାଡେମୀର ଆଧୁନିକୀକରଣ ଏବଂ ‘ହୀରାକୁଦ ଡ୍ୟାମ୍ ମାଷ୍ଟର ପ୍ଲାନ’ ଭଳି କାର୍ଯ୍ୟ ଚାଲିଥିବା ସେ କହିଛନ୍ତି।

‘ସମୃଦ୍ଧ ଓଡ଼ିଶା ୨୦୩୬’ ଲକ୍ଷ୍ୟ

ସମ୍ବଲପୁରକୁ ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାର ପ୍ରତୀକ ଭାବେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ‘ସମୃଦ୍ଧ ଓଡ଼ିଶା ୨୦୩୬’ ଗଠନରେ ସମ୍ବଲପୁର ବିକାଶ ଯାତ୍ରାର ଏକ ପ୍ରମୁଖ କେନ୍ଦ୍ର। ରାଜ୍ୟକୁ ୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର ଏବଂ ୨୦୪୭ ସୁଦ୍ଧା ୧.୫ ଟ୍ରିଲିୟନ ଡଲାରର ଅର୍ଥବ୍ୟବସ୍ଥାରେ ପରିଣତ କରିବା ଲକ୍ଷ୍ୟ ରହିଥିବା ସେ ଉଲ୍ଲେଖ କରିଛନ୍ତି।

ନାରୀ ସଶକ୍ତିକରଣ ପାଇଁ ‘ସୁଭଦ୍ରା’, ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ’ ଓ ‘କନ୍ୟା ସୁମଙ୍ଗଳ’ ଭଳି ଯୋଜନା ଉପରେ ସରକାର ଗୁରୁତ୍ୱ ଦେଉଥିବା ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି।

ସମ୍ବଲପୁର ପାଇଁ ଆଉ ବଡ଼ ପ୍ରକଳ୍ପ

ସମ୍ବଲପୁରରେ ୧,୫୨୧ କୋଟି ଟଙ୍କାର ୪-ଲେନ୍ ବାଇପାସ୍, VIMSARର ୧,୭୦୦ କୋଟି ଟଙ୍କାର ସମ୍ପ୍ରସାରଣ, ୧୦୦ କୋଟି ଟଙ୍କାର Aqua Park ଏବଂ ୧୦୦ କୋଟି ଟଙ୍କାର ‘ସମଲେଇ ଫେଜ୍-୨’ କାର୍ଯ୍ୟ ତ୍ୱରାନ୍ୱିତ ହୋଇଥିବା ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି।

ସେହିପରି କେନ୍ଦ୍ର ଓ ରାଜ୍ୟର ‘ଡବଲ୍ ଇଞ୍ଜିନ୍’ ସରକାର ଅଧୀନରେ ଓଡ଼ିଶାକୁ ରେଳ, ସଡ଼କ, ବନ୍ଦର ଓ ଜାହାଜ ନିର୍ମାଣ କ୍ଷେତ୍ରରେ ବିଭିନ୍ନ ବୃହତ୍ ପ୍ରକଳ୍ପ ମିଳିଥିବା ସେ କହିଛନ୍ତି।

ସମାରୋହରେ ସମ୍ବଲପୁରୀ ଭାଷା, ଗୀତ, ସଂସ୍କୃତି ଓ ଶାଢ଼ୀର ଆଞ୍ଚଳିକ ଗୌରବକୁ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ। ଏହାସହ ‘ରଙ୍ଗବତୀ’ ଗୀତର ସ୍ରଷ୍ଟା ଓ ଶିଳ୍ପୀମାନଙ୍କୁ ପଦ୍ମଶ୍ରୀ ସମ୍ମାନରେ ବିଭୂଷିତ କରାଯାଇଥିବା ପ୍ରସଙ୍ଗ ଉଲ୍ଲେଖ କରି ସେ ଓଡ଼ିଶାର ଆଞ୍ଚଳିକ କଳା ଓ ସଂସ୍କୃତି ପ୍ରତି କେନ୍ଦ୍ର ସରକାରଙ୍କ ସମ୍ମାନର କଥା କହିଥିଲେ।

Leave a Reply

Your email address will not be published. Required fields are marked *