Spread the love

ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁରରୁ ପୁରୀ ଅଭିମୁଖେ ୯୧୦ ବରିଷ୍ଠ ନାଗରିକ

ଭୁବନେଶ୍ୱର, ୨୦ ସେପ୍ଟେମ୍ବର ୨୦୨୬: ରାଜ୍ୟ ସରକାରଙ୍କ ‘ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା’ ଅନ୍ତର୍ଗତ ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ତୀର୍ଥଯାତ୍ରା ଆରମ୍ଭ ହୋଇଛି। ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଆଭାସୀ ମାଧ୍ୟମରେ ଏହି ଯାତ୍ରାର ଶୁଭାରମ୍ଭ କରିଛନ୍ତି।

ପର୍ଯ୍ୟଟନ ବିଭାଗ ଓ ଓଏସଆରଟିସି (OSRTC)ର ମିଳିତ ସହଯୋଗରେ ଆୟୋଜିତ ପ୍ରଥମ ଯାତ୍ରାରେ ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ମୋଟ ୯୧୦ ଜଣ ବରିଷ୍ଠ ନାଗରିକ ପୁରୀ ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା କରିଛନ୍ତି। ସେମାନଙ୍କ ମଧ୍ୟରେ ମାଲକାନଗିରିରୁ ୪୯୦, କୋରାପୁଟରୁ ୨୧୦ ଏବଂ ନବରଙ୍ଗପୁରରୁ ୨୧୦ ଜଣ ରହିଛନ୍ତି।

ଉଦ୍‌ଘାଟନୀ ଅଭିଭାଷଣରେ ଉପମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଓଡ଼ିଆଙ୍କ ମନରେ ଥିବା ଆଧ୍ୟାତ୍ମିକ ଆକାଂକ୍ଷା ପୂରଣ କରିବା ଏହି ଯୋଜନାର ଲକ୍ଷ୍ୟ। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ପ୍ରୟାସରେ ବରିଷ୍ଠ ନାଗରିକଙ୍କ ପାଇଁ ଏହି ସୁଯୋଗ ସୃଷ୍ଟି ହୋଇଥିବା ସେ କହିଛନ୍ତି।

ତୀର୍ଥଯାତ୍ରୀମାନଙ୍କ ପାଇଁ ପୁରୀର ‘ବୃନ୍ଦାବତୀ ନିବାସ’ରେ ରହଣି ସହ ସୁରକ୍ଷିତ ଯାତ୍ରା, ସ୍ୱାସ୍ଥ୍ୟ ପରୀକ୍ଷା, ମହାପ୍ରସାଦ ସେବନ ଏବଂ ସ୍ୱତନ୍ତ୍ର ଦର୍ଶନର ବ୍ୟବସ୍ଥା କରାଯାଇଛି। ପ୍ରତି ବସ୍‌ରେ ୩୫ ଜଣ ତୀର୍ଥଯାତ୍ରୀଙ୍କ ସହ ୩ ଜଣ ଏସ୍କର୍ଟ ଅଧିକାରୀ ଓ ଜଣେ ପାରାମେଡିକାଲ୍ କର୍ମଚାରୀ ରହୁଛନ୍ତି।

ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ୨୦ ସେପ୍ଟେମ୍ବରରୁ ୧୭ ଅକ୍ଟୋବର ମଧ୍ୟରେ ୧୩ଟି ଜିଲ୍ଲାର ମୋଟ ୧୦,୪୩୪ ଜଣ ବରିଷ୍ଠ ନାଗରିକଙ୍କ ପାଇଁ ପୁରୀ ଦର୍ଶନର ବ୍ୟବସ୍ଥା ହୋଇଛି। ଚଳିତ ବର୍ଷ ମୋଟ ୩୦ ହଜାର ଯୋଗ୍ୟ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରିବାକୁ ବ୍ୟବସ୍ଥା ହେଉଥିବା ବେଳେ, ଯୋଜନା ମାଧ୍ୟମରେ ମୋଟ ୧ ଲକ୍ଷ ବରିଷ୍ଠ ନାଗରିକଙ୍କୁ ଶ୍ରୀମନ୍ଦିର ଦର୍ଶନ କରାଇବାର ଲକ୍ଷ୍ୟ ରହିଛି।

ଯୋଜନାରେ ହିତାଧିକାରୀଙ୍କ ପାଇଁ ପଞ୍ଚାୟତରୁ ଜିଲ୍ଲା ସଦର ମହକୁମା ଓ ସେଠାରୁ ସ୍ୱତନ୍ତ୍ର ବସ୍‌ରେ ପୁରୀ ଯାତ୍ରା, ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା, ଦିନକୁ ଚାରିଥର ନିରାମିଷ ଭୋଜନ, ସ୍ୱତନ୍ତ୍ର କିଟ୍ ବ୍ୟାଗ୍, ମହାପ୍ରସାଦ ସେବନ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ରହିଛି।

ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ବଲବନ୍ତ ସିଂହ, ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର, ଅତିରିକ୍ତ ସଚିବ ରୁଦ୍ର ପ୍ରସନ୍ନ ସାହୁ ଏବଂ OSRTC ମହାପ୍ରବନ୍ଧକ ଦେବବ୍ରତ ମଲ୍ଲିକଙ୍କ ସମେତ ସମ୍ପୃକ୍ତ ଜିଲ୍ଲାର ବିଧାୟକ, ଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀମାନେ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *