ରାଜନୀତି ରାଜ୍ୟ ଲାଇଫ ଷ୍ଟାଇଲ ସାମାଜିକ ସ୍ୱତନ୍ତ୍ର

ଲୋକସେବା ଭବନ ପରିସର ‘ତମାଖୁମୁକ୍ତ ଅଞ୍ଚଳ’ ଘୋଷିତ

Spread the love

ଭୁବନେଶ୍ୱର, ୧୭/୦୯: ଜନସ୍ୱାସ୍ଥ୍ୟ ସୁରକ୍ଷା ଏବଂ ସ୍ୱଚ୍ଛ ଓ ସୁସ୍ଥ ପରିବେଶ ଗଠନ ଲକ୍ଷ୍ୟରେ ଲୋକସେବା ଭବନ ପରିସରକୁ ‘ତମାଖୁମୁକ୍ତ ଅଞ୍ଚଳ’ ଭାବେ ଘୋଷଣା କରାଯାଇଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନୋଟିଫିକେସନ୍‌ ଜାରି ହୋଇଛି।

ନୋଟିଫିକେସନ୍‌ ଅନୁଯାୟୀ, ଲୋକସେବା ଭବନ ପରିସରରେ ଧୂମପାନ, ତମାଖୁ ସେବନ ଏବଂ ତମାଖୁ ଛେପ ପକାଇବା ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ଏହି ନିୟମ ଉଲ୍ଲଂଘନ କଲେ ଆଇନ ଅନୁଯାୟୀ ଦଣ୍ଡନୀୟ କାର୍ଯ୍ୟର ସମ୍ମୁଖୀନ ହେବାକୁ ପଡ଼ିବ।

ବିଭାଗ ପକ୍ଷରୁ କୁହାଯାଇଛି ଯେ, ତମାଖୁ ବ୍ୟବହାର କ୍ୟାନ୍‌ସର, ହୃଦ୍‌ରୋଗ ଓ ଫୁସଫୁସଜନିତ ରୋଗ ସମେତ ବିଭିନ୍ନ ଅଣସଂକ୍ରାମକ ରୋଗର ଏକ ପ୍ରମୁଖ କାରଣ। ତମାଖୁ ବ୍ୟବହାର ଯୋଗୁଁ ଦେଶରେ ପ୍ରତିବର୍ଷ ପ୍ରାୟ ୧୩ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟୁଥିବା ନୋଟିଫିକେସନ୍‌ରେ ଉଲ୍ଲେଖ ରହିଛି।

ଏହି ପଦକ୍ଷେପ ସମ୍ପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ‘ସ୍ୱଚ୍ଛ ଭାରତ, ସ୍ୱସ୍ଥ ଭାରତ’ ଏବଂ ‘ନିଶାମୁକ୍ତ ଭାରତ ଅଭିଯାନ’ର ଲକ୍ଷ୍ୟକୁ ସୁଦୃଢ଼ କରିବା ସହ ଲୋକସେବା ଭବନକୁ ଏକ ସ୍ୱଚ୍ଛ, ସୁସ୍ଥ ଓ ତମାଖୁମୁକ୍ତ କାର୍ଯ୍ୟସ୍ଥଳ ଭାବେ ଗଢ଼ି ତୋଳିବା ଏହାର ଉଦ୍ଦେଶ୍ୟ।

ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଆଗାମୀ ପିଢ଼ିକୁ ସୁସ୍ଥ ଜୀବନ ଓ ତମାଖୁ ବିରୋଧୀ ସଚେତନତାର ବାର୍ତ୍ତା ଦେବା ପାଇଁ ସରକାରଙ୍କ ପ୍ରୟାସ ଜାରି ରହିବ। ଲୋକସେବା ଭବନ ପରିସରକୁ ତମାଖୁମୁକ୍ତ କରିବା ଏହି ଅଭିଯାନର ଏକ ପ୍ରମୁଖ ପଦକ୍ଷେପ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *