ରାଜନୀତି ରାଜ୍ୟ ଶିକ୍ଷା ସାମାଜିକ ସ୍ୱତନ୍ତ୍ର

ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ଗର୍ଜିଲା ବିଜେଡି

Spread the love

ବହି ତ୍ରୁଟିକୁ ନେଇ ବିଧାନସଭା ଭିତରେ ଓ ବାହାରେ ତାତି; ଗୃହରୁ ଲୋୟର PMG ଯାଏଁ ବିଜେଡି ବିଧାୟକଙ୍କ ପ୍ରତିବାଦ

ଭୁବନେଶ୍ୱର: ସ୍କୁଲ ପାଠ୍ୟପୁସ୍ତକରେ ତ୍ରୁଟିକୁ ନେଇ ତେଜିଛି ରାଜନୀତି। ବିଧାନସଭା ଭିତରେ ଓ ବାହାରେ ଏହି ପ୍ରସଙ୍ଗକୁ ନେଇ ଜୋରଦାର ପ୍ରତିବାଦ କରିଛି ବିଜୁ ଜନତା ଦଳ। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରି ବିଜେଡି ବିଧାୟକଙ୍କ ସହ ଦଳର ଯୁବ ଓ ଛାତ୍ର ସଂଗଠନ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭ ହେବା ପରେ ବିଜେଡି ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗ ଉଠାଇଥିଲେ। ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହାର ନୈତିକ ଦାୟିତ୍ୱ ନେଇ ଇସ୍ତଫା ଦିଅନ୍ତୁ ବୋଲି ଦଳ ଦାବି କରିଥିଲା। ପ୍ଲାକାର୍ଡ ଧରି ସ୍ଲୋଗାନ ଦେବା ସହ ବିଜେଡି ସଦସ୍ୟମାନେ ଗୃହରେ ପ୍ରତିବାଦ କରିଥିଲେ।

ପ୍ରତିବାଦ ଯୋଗୁଁ ଗୃହର ସ୍ୱାଭାବିକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ବାଚସ୍ପତି ସୁରମା ପାଢ଼ୀ ବିରୋଧୀ ସଦସ୍ୟମାନଙ୍କୁ ନିଜ ଆସନକୁ ଫେରି ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ପରିସ୍ଥିତି ସ୍ୱାଭାବିକ ନହେବାରୁ ଗୃହକୁ ମୁଲତବୀ ରଖାଯାଇଥିଲା।

ଗୃହ ମୁଲତବୀ ହେବା ପରେ ବିଜେଡି ବିଧାୟକମାନେ ବିଧାନସଭାରୁ ବାହାରି ପଦଯାତ୍ରାରେ ଲୋୟର PMG ଅଭିମୁଖେ ଯାଇଥିଲେ। ସେଠାରେ ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଚାଲିଥିବା ପ୍ରତିବାଦରେ ବିଧାୟକମାନେ ସାମିଲ ହୋଇଥିଲେ।

ବିଜେଡିର ଅଭିଯୋଗ ହେଉଛି, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ଅନେକ ତ୍ରୁଟି ରହିଛି ଏବଂ ଏହାର ଦାୟିତ୍ୱ ନିର୍ଦ୍ଧାରଣ କରାଯିବା ଆବଶ୍ୟକ। ଏହି ପ୍ରସଙ୍ଗରେ ଦଳ ପୂର୍ବରୁ ମଧ୍ୟ ପାଠ୍ୟପୁସ୍ତକ ପ୍ରତ୍ୟାହାର, ଉଚ୍ଚସ୍ତରୀୟ ତଦନ୍ତ ଓ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଆସୁଛି।

ଅନ୍ୟପଟେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପୂର୍ବରୁ କହିଛନ୍ତି ଯେ ପାଠ୍ୟପୁସ୍ତକଗୁଡ଼ିକର ପ୍ରୁଫ୍‌ରିଡିଂ ଚାଲିଛି ଏବଂ ତ୍ରୁଟି ସଂଶୋଧନ କରି ଛାତ୍ରଛାତ୍ରୀଙ୍କୁ ତ୍ରୁଟିମୁକ୍ତ ପୁସ୍ତକ ଯୋଗାଇବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି।

ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ ଏବେ ବିଧାନସଭା ଭିତରୁ ରାଜରାସ୍ତା ପର୍ଯ୍ୟନ୍ତ ରାଜନୈତିକ ତାତି ବଢ଼ିଛି। ମନ୍ତ୍ରୀଙ୍କ ଇସ୍ତଫା ଦାବିକୁ ନେଇ ବିଜେଡି ଆନ୍ଦୋଳନ ଜାରି ରଖିଥିବାବେଳେ ଏହି ପ୍ରସଙ୍ଗ ଚଳିତ ବିଧାନସଭା ଅଧିବେଶନରେ ପ୍ରମୁଖ ରାଜନୈତିକ ପ୍ରସଙ୍ଗ ପାଲଟିଛି।

Leave a Reply

Your email address will not be published. Required fields are marked *