Economy ଅର୍ଥନୀତି ରାଜନୀତି ରାଜ୍ୟ ସାମାଜିକ ସ୍ୱତନ୍ତ୍ର

ଓଡ଼ିଶାର ବିକାଶରେ ନେତୃତ୍ୱ ନେବେ ନାରୀଶକ୍ତି: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

Spread the love

୧.୭୯ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୯.୨୬ କୋଟି ଟଙ୍କା ସୁଧ ଫେରସ୍ତ

SHG ଓ ସେମାନଙ୍କ ସଂଘକୁ ୧୫୧.୨୮ କୋଟି ଟଙ୍କାର ବିଭିନ୍ନ ପାଣ୍ଠି ପ୍ରଦାନ

ଭୁବନେଶ୍ୱର, ୬ ଅକ୍ଟୋବର: ଓଡ଼ିଶାର ସାମାଜିକ ଓ ଆର୍ଥିକ ବିକାଶରେ ଆଗାମୀ ଦିନରେ ନାରୀଶକ୍ତି ନେତୃତ୍ୱ ନେବ। ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଆର୍ଥିକ ଭାବେ ଅଧିକ ସଶକ୍ତ କରିବା ସହ ରାଜ୍ୟରେ ଅଧିକରୁ ଅଧିକ ‘ଲକ୍ଷପତି ଦିଦି’ ସୃଷ୍ଟି କରିବା ଲକ୍ଷ୍ୟରେ ସରକାର କାର୍ଯ୍ୟ କରୁଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।

ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ୧,୭୯,୮୦୯ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୯.୨୬ କୋଟି ଟଙ୍କାର ସୁଧ ଫେରସ୍ତ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଏହି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

ଏହାସହ ୧୫,୫୨୬ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୨୯.୩୧ କୋଟି ଟଙ୍କାର ଆବର୍ତ୍ତନ ପାଣ୍ଠି, ୩୭୧ଟି ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘକୁ ୧୧୩.୮୦ କୋଟି ଟଙ୍କାର ଗୋଷ୍ଠୀ ବିନିଯୋଗ ପାଣ୍ଠି ଏବଂ ୬୦୫ଟି ଆଞ୍ଚଳିକ ମଞ୍ଚକୁ ୮.୧୮ କୋଟି ଟଙ୍କାର ନିରାପତ୍ତା ପାଣ୍ଠି ପ୍ରଦାନ କରାଯାଇଛି। ଏହି ତିନୋଟି ବର୍ଗରେ ମୋଟ ୧୫୧.୨୮ କୋଟି ଟଙ୍କାର ସହାୟତା ଦିଆଯାଇଛି।

ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଭିନ୍ନ ଆର୍ଥିକ ସହାୟତା ଯୋଜନା ମାଧ୍ୟମରେ SHG ଓ ସେମାନଙ୍କ ସଂଘଗୁଡ଼ିକର କ୍ଷମତା ବୃଦ୍ଧି କରାଯାଉଛି। ଏହା ମହିଳାମାନଙ୍କ ପାଇଁ ନୂଆ ଜୀବିକା ସୁଯୋଗ ସୃଷ୍ଟି କରିବା ସହ ମହିଳାଙ୍କ ଦ୍ୱାରା ପରିଚାଳିତ ଉଦ୍ୟୋଗଗୁଡ଼ିକୁ ଅଧିକ ସକ୍ଷମ ଓ ସୁଦୃଢ଼ କରିବ। ଏହାଦ୍ୱାରା ରାଜ୍ୟରେ ‘ଲକ୍ଷପତି ଦିଦି’ଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ସୁଧ ଫେରସ୍ତ ପାଇଁ ୫୭୫ କୋଟିର ବଜେଟ୍

୨୦୨୬-୨୭ ଆର୍ଥିକ ବର୍ଷରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସୁଧ ଫେରସ୍ତ ପାଇଁ ୫୭୫ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରାଯାଇଛି। ଏହା ପୂର୍ବରୁ ଗତ ୨୪ ଜୁନରେ ୨,୮୮,୧୯୮ଟି SHGକୁ ୧୪୭.୭୭ କୋଟି ଟଙ୍କା ସୁଧ ଫେରସ୍ତ କରାଯାଇଥିଲା। ଦୁଇଟି ପର୍ଯ୍ୟାୟକୁ ମିଶାଇ ଚଳିତ ଆର୍ଥିକ ବର୍ଷରେ ଏପର୍ଯ୍ୟନ୍ତ ମୋଟ ୨୪୭.୦୩ କୋଟି ଟଙ୍କା ସୁଧ ଫେରସ୍ତ କରାଯାଇଛି।

ସେହିପରି ୨୦୨୬-୨୭ରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ୨୦ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ଯୋଗାଣ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଋଣ ସୁବିଧା, ସୁଧ ଫେରସ୍ତ ଓ ବିଭିନ୍ନ ସମୁଦାୟ ପାଣ୍ଠି ମାଧ୍ୟମରେ SHG ସଦସ୍ୟାମାନଙ୍କୁ ଜୀବିକା ଓ ଉଦ୍ୟୋଗ କ୍ଷେତ୍ରରେ ଆବଶ୍ୟକ ଆର୍ଥିକ ସମ୍ବଳ ଯୋଗାଇଦେବା ଏହାର ମୁଖ୍ୟ ଲକ୍ଷ୍ୟ।

ବିଭିନ୍ନ ଜିଲ୍ଲାର SHGକୁ ଚେକ୍ ପ୍ରଦାନ

କାର୍ଯ୍ୟକ୍ରମରେ ଖୋର୍ଦ୍ଧାର ମା’ ଚଞ୍ଚେଳେଇ SHGକୁ ୩୮,୯୨୭ ଟଙ୍କା, ସାଇରାମ SHGକୁ ୩୭,୯୫୮ ଟଙ୍କା ଏବଂ ସାଇ ଉନ୍ନତି SHGକୁ ୩୭,୮୪୭ ଟଙ୍କାର ସୁଧ ଫେରସ୍ତ ଚେକ୍ ପ୍ରଦାନ କରାଯାଇଛି।

୨୯ଟି ଜିଲ୍ଲାର ୧୫,୫୨୬ଟି SHGକୁ ୨୯.୩୧ କୋଟି ଟଙ୍କାର ଆବର୍ତ୍ତନ ପାଣ୍ଠି ଦିଆଯାଇଛି। କଟକର ଓମ୍ ସାଇରାମ ଓ ହରିଶଙ୍କର SHG ଏବଂ ଯାଜପୁରର ଶ୍ରୀ ସତ୍ୟସାଇ ଓ ବୈଭବ ଲକ୍ଷ୍ମୀ SHGକୁ ୩୦ ହଜାର ଟଙ୍କା ଲେଖାଏଁ ଆବର୍ତ୍ତନ ପାଣ୍ଠିର ଚେକ୍ ପ୍ରଦାନ କରାଯାଇଛି।

୨୬ଟି ଜିଲ୍ଲାର ୩୭୧ଟି ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘକୁ ୧୧୩.୮୦ କୋଟି ଟଙ୍କାର ଗୋଷ୍ଠୀ ବିନିଯୋଗ ପାଣ୍ଠି ଦିଆଯାଇଛି। ପୁରୀର ଅଲଗୋମ ଓ ଗଡ଼ମୋଟାରୀ ଗ୍ରାମପଞ୍ଚାୟତ ସ୍ତରୀୟ ସଂଘକୁ ଯଥାକ୍ରମେ ୪୫ ଲକ୍ଷ ଓ ୩୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଛି।

ସେହିପରି ୧୯ଟି ଜିଲ୍ଲାର ୬୦୫ଟି ଆଞ୍ଚଳିକ ମଞ୍ଚକୁ ୮.୧୮ କୋଟି ଟଙ୍କାର ନିରାପତ୍ତା ପାଣ୍ଠି ପ୍ରଦାନ କରାଯାଇଛି। ଗଞ୍ଜାମର ଗୁଣ୍ଡଦୁରିସାହି ଓ କରଡାବାଣୀ ଆଞ୍ଚଳିକ ମଞ୍ଚକୁ ୧.୫୦ ଲକ୍ଷ ଟଙ୍କା ଲେଖାଏଁ ଚେକ୍ ପ୍ରଦାନ କରାଯାଇଛି।

‘ଲକ୍ଷପତି ଦିଦି’ ପାଇଁ CINI, ସବୁଜ ଉଦ୍ୟୋଗ ପାଇଁ OREDA ସହ MoU

‘ଲକ୍ଷପତି ଦିଦି’ ଯୋଜନାକୁ ଅଧିକ ପ୍ରୋତ୍ସାହନ ଓ ବ୍ୟାପକ କରିବା ପାଇଁ ‘କଲେକ୍ଟିଭ୍ ଫର୍ ଇଣ୍ଟିଗ୍ରେଟେଡ୍ ଲାଇଭଲିହୁଡ୍ ଇନିସିଏଟିଭ୍ସ’ (CINI) ସହ ଏକ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହୋଇଛି।

ଏହାସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟରେ ପରିବେଶ ଅନୁକୂଳ ସବୁଜ ଉଦ୍ୟୋଗିତା ଓ ଅକ୍ଷୟ ଶକ୍ତି ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା (OREDA) ସହ ମଧ୍ୟ ଏକ ସହଯୋଗୀ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି। ଏହା ଗ୍ରାମୀଣ ମହିଳା ଉଦ୍ୟୋଗୀମାନଙ୍କୁ ସ୍ଥାୟୀ ଜୀବିକା ସୃଷ୍ଟି ଓ ଉଦ୍ୟୋଗ ବିକାଶରେ ସହାୟକ ହେବ।

କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗର କମିଶନର-ତଥା-ଶାସନ ସଚିବ ମାନସୀ ନିମ୍ଭାଲ, ନିର୍ଦ୍ଦେଶିକା ଡଃ ମୋନିକା ପ୍ରିୟଦର୍ଶିନୀ, SLBC Odishaର କନଭେନରଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀ, ବ୍ୟାଙ୍କ, OREDA ଓ CINIର ପ୍ରତିନିଧି ଉପସ୍ଥିତ ଥିଲେ। ବିଭିନ୍ନ ଜିଲ୍ଲାର ଅଧିକାରୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଆଭାସୀ ମାଧ୍ୟମରେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *