Spread the love

‘ଅକ୍ଟୋବର ୧୫କୁ ବସୁଲି ଦିବସ ଘୋଷଣା କରନ୍ତୁ ସରକାର’: ସୋନାଲି ସାହୁ

ଭୁବନେଶ୍ୱର, ୧୭।୦୯।୨୦୨୬: ଅକ୍ଟୋବର ୧୫ରୁ କିଛି UPI ବ୍ୟବସାୟିକ କାରବାର ଉପରେ Merchant Discount Rate (MDR) ଲାଗୁ ହେବାକୁ ନେଇ କେନ୍ଦ୍ର ସରକାରକୁ ଟାର୍ଗେଟ୍ କରିଛି କଂଗ୍ରେସ। ଦଳର ମୁଖପାତ୍ର ସୋନାଲି ସାହୁ ଏହାକୁ ବିରୋଧ କରିବା ସହ ଅକ୍ଟୋବର ୧୫କୁ ସରକାର ‘ବସୁଲି ଦିବସ’ ଭାବେ ଘୋଷଣା କରନ୍ତୁ ବୋଲି କଟାକ୍ଷ କରିଛନ୍ତି।

ସୋନାଲି ସାହୁଙ୍କ ଅଭିଯୋଗ, ଦେଶରେ ଦରଦାମ ବୃଦ୍ଧି ସମୟରେ UPI କାରବାର ଉପରେ ଶୁଳ୍କ ଲାଗୁ କରିବା ‘କଟା ଘା’ରେ ଚୂନ ଦେବା’ ସଦୃଶ। ପ୍ରଥମେ କେନ୍ଦ୍ର ସରକାର କ୍ୟାସ୍‌ଲେସ୍ କାରବାରକୁ ପ୍ରୋତ୍ସାହନ ଦେଇଥିଲେ, ଏବେ UPIରେ MDR ଆଣିବା କେତେଦୂର ଗ୍ରହଣୀୟ ବୋଲି ସେ ପ୍ରଶ୍ନ କରିଛନ୍ତି।

ଏହି ନିଷ୍ପତ୍ତି ପଛରେ ଆମେରିକୀୟ କମ୍ପାନୀଙ୍କୁ ଲାଭ ପହଞ୍ଚାଇବାର ଉଦ୍ଦେଶ୍ୟ ରହିଥିବା ମଧ୍ୟ ସୋନାଲି ଅଭିଯୋଗ କରିଛନ୍ତି। ଏହା ସହ ନୂଆ UPI ବ୍ୟବସ୍ଥା ଗରିବ ଓ ଖଟିଖିଆ ଲୋକଙ୍କ ଉପରେ ପରୋକ୍ଷ ଚାପ ପକାଇପାରେ ବୋଲି କଂଗ୍ରେସ ଆଶଙ୍କା ପ୍ରକାଶ କରିଛି।

ତେବେ UPI ଉପରେ ସିଧାସଳଖ ‘ଟ୍ୟାକ୍ସ’ ଲାଗିଛି ବୋଲି କହିବା ତଥ୍ୟଗତ ଭାବେ ଠିକ୍ ନୁହେଁ। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ସ୍ପଷ୍ଟୀକରଣ ଅନୁସାରେ, ଅକ୍ଟୋବର ୧୫ରୁ ନିର୍ଦ୍ଦିଷ୍ଟ ₹୨,୦୦୦ରୁ ଅଧିକ person-to-merchant (P2M) UPI କାରବାରରେ ୦.୪% MDR ଲାଗୁ ହେବ। ଏହା ସରକାର ଆଦାୟ କରୁଥିବା ଟ୍ୟାକ୍ସ ନୁହେଁ; ବ୍ୟାଙ୍କ, ପେମେଣ୍ଟ ସେବା ପ୍ରଦାନକାରୀ ଓ UPI ଆପ୍ ପ୍ରଦାନକାରୀଙ୍କ ମଧ୍ୟରେ ଏହା ବଣ୍ଟନ ହେବ। ଗ୍ରାହକଙ୍କଠାରୁ ଏହି MDR ନେବାକୁ ଅନୁମତି ନାହିଁ। ପ୍ରାୟ ୯୬% P2M କାରବାର ମଧ୍ୟ ଏହାର ପ୍ରଭାବରୁ ବାହାରେ ରହିବ ବୋଲି ସରକାର କହିଛନ୍ତି।

ଅନ୍ୟପଟେ, ନୂଆ MDR ବ୍ୟବସ୍ଥାକୁ ନେଇ ବ୍ୟବସାୟୀ ଓ ବିରୋଧୀ ଦଳମାନଙ୍କ ପକ୍ଷରୁ ପ୍ରଶ୍ନ ଉଠୁଛି। ଦିଲ୍ଲୀର କିଛି ବ୍ୟବସାୟୀ ମଧ୍ୟ ଏହି ନୂଆ ଶୁଳ୍କ ବ୍ୟବସ୍ଥା ନେଇ ଚିନ୍ତା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *