ଅର୍ଥନୀତି ରାଜନୀତି ରାଜ୍ୟ ସାମାଜିକ ସ୍ୱତନ୍ତ୍ର

ସାଂସଦଙ୍କ ଚିଠିକୁ ନେଇ ପୂର୍ତ୍ତ ବିଭାଗର ସମୀକ୍ଷା, କାମ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ

Spread the love

ଭୁବନେଶ୍ୱର: ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଓ ସଡ଼କ କାମକୁ ନେଇ ସାଂସଦମାନେ ଲେଖିଥିବା ଚିଠି ଉପରେ ପୂର୍ତ୍ତ ବିଭାଗର ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ବୈଠକ ପରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏନେଇ ସୂଚନା ଦେଇଛନ୍ତି।

ପୂର୍ତ୍ତ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀଙ୍କ ସହ ମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ସ୍ଥିତି ଓ ଅଗ୍ରଗତି ସମୀକ୍ଷା କରିଛନ୍ତି। ବିଶେଷକରି ବ୍ରହ୍ମପୁର, ବଲାଙ୍ଗିର ଓ ନବରଙ୍ଗପୁର ସାଂସଦଙ୍କ ପକ୍ଷରୁ ଉଠାଯାଇଥିବା ପ୍ରସଙ୍ଗଗୁଡ଼ିକ ଉପରେ ବୈଠକରେ ଆଲୋଚନା ହୋଇଛି।

ବ୍ରହ୍ମପୁର ସାଂସଦ ଉଠାଇଥିବା ପ୍ରକଳ୍ପ ସମ୍ପର୍କରେ ମନ୍ତ୍ରୀ କହିଛନ୍ତି ଯେ ପ୍ରକଳ୍ପ କାମ ବିଳମ୍ବ ହୋଇନାହିଁ ଏବଂ କାମ ଜାରି ରହିଛି। ଏହା ବ୍ୟସ୍ତବହୁଳ ରାସ୍ତା ହୋଇଥିବାରୁ ଛକ ନିକଟରେ ନିର୍ମାଣ କାର୍ଯ୍ୟରେ କିଛି ବାଧା ସୃଷ୍ଟି ହେଉଥିଲା। ତଥାପି ନିର୍ଦ୍ଧାରିତ ଗତିରେ କାମ ଚାଲିଥିବା ସେ କହିଛନ୍ତି। ଏହାସହ କାମର ଗୁଣବତ୍ତା ପରୀକ୍ଷା କରି ରିପୋର୍ଟ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ବଲାଙ୍ଗିର ସାଂସଦଙ୍କ ଚିଠିରେ ଉଠାଯାଇଥିବା ପ୍ରସଙ୍ଗ ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି। ଜନବସତି ଅଞ୍ଚଳ ଥିବାରୁ ବାଇପାସ୍ ନିର୍ମାଣର ଆବଶ୍ୟକତା ରହିଛି। ଏହାସହ କିଛି ସ୍ଥାନରେ ଜଙ୍ଗଲ ଜମି ସମ୍ପର୍କିତ ସମସ୍ୟା ଥିବାରୁ କାମରେ ସାମାନ୍ୟ ବିଳମ୍ବ ହୋଇଛି। ଆଗାମୀ ଦିନରେ କାମକୁ ତ୍ୱରାନ୍ୱିତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ସେହିପରି ଭେହିକିଲ୍ ଅଣ୍ଡରପାସ୍ ନିର୍ମାଣ ପାଇଁ ନବରଙ୍ଗପୁର ସାଂସଦ ଦେଇଥିବା ପ୍ରସ୍ତାବକୁ ମଧ୍ୟ ବିଚାରକୁ ନିଆଯାଉଛି।

ବିଭିନ୍ନ ପ୍ରକଳ୍ପର କାମ କେତେଦୂର ଆଗେଇଛି, ସେନେଇ ସମ୍ପୃକ୍ତ ସାଂସଦମାନଙ୍କୁ କମ୍ପ୍ଲାଏନ୍ସ ରିପୋର୍ଟ ଦିଆଯିବ। ଏହାସହ ନିଜ ଅଞ୍ଚଳରେ ଚାଲିଥିବା ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସ୍ଥାନୀୟ ଜନପ୍ରତିନିଧିମାନଙ୍କୁ ନିୟମିତ ଅବଗତ କରାଇବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ରହିଛି। ଏହିସବୁ ପ୍ରସଙ୍ଗର ତଦାରଖ ପାଇଁ ପୂର୍ବରୁ ଏକ ଉଚ୍ଚସ୍ତରୀୟ କମିଟି ମଧ୍ୟ ଗଠନ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।

ପୃଥ୍ୱୀରାଜ ହରିଚନ୍ଦନ, ପୂର୍ତ୍ତ ମନ୍ତ୍ରୀ

Leave a Reply

Your email address will not be published. Required fields are marked *