ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସମୀକ୍ଷା, ସ୍ୱଚ୍ଛତା ଓ ତ୍ୱରିତ କାର୍ଯ୍ୟକାରିତା ଉପରେ ଗୁରୁତ୍ୱ
ଭୁବନେଶ୍ୱର, ୨୫ ସେପ୍ଟେମ୍ବର ୨୦୨୬: ଶ୍ରୀଜଗନ୍ନାଥଙ୍କ ଜମି ବନ୍ଦୋବସ୍ତ ପ୍ରକ୍ରିୟାକୁ ଅଧିକ ସହଜ, ଶୃଙ୍ଖଳିତ ଓ ସ୍ୱଚ୍ଛ କରିବା ପାଇଁ ବିକଶିତ ହେବ ଏକ ସ୍ୱତନ୍ତ୍ର ଇ-ପୋର୍ଟାଲ୍। ଏହି ପୋର୍ଟାଲରେ ଶ୍ରୀଜଗନ୍ନାଥଙ୍କ ଜମି ଭୋଗଦଖଲରେ ରହିଥିବା ସେବାୟତ ଓ ଅଣସେବାୟତଙ୍କ ତଥ୍ୟ ସଂଗ୍ରହ କରାଯିବ। ଫଳରେ ଜମି ଦଖଲକାରୀଙ୍କ ଏକ ସମ୍ପୂର୍ଣ୍ଣ ଡାଟାବେସ୍ ପ୍ରସ୍ତୁତ ହୋଇପାରିବ।
ଶ୍ରୀଜଗନ୍ନାଥ ଜମି ବନ୍ଦୋବସ୍ତ ପ୍ରକ୍ରିୟାର ଅଗ୍ରଗତି ଓ ଇ-ପୋର୍ଟାଲର ଉପଯୋଗିତାକୁ ନେଇ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ଆଇନ ବିଭାଗ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।
ଦୀର୍ଘଦିନ ଧରି ଶ୍ରୀଜଗନ୍ନାଥଙ୍କ ଜମିରେ ବସବାସ କରୁଥିବା ସେବାୟତ ଓ ଅଣସେବାୟତଙ୍କୁ ଜମି ଅଧିକାର ପ୍ରଦାନ ସମ୍ପର୍କିତ ପ୍ରକ୍ରିୟାକୁ କିପରି ତ୍ୱରାନ୍ୱିତ କରାଯାଇପାରିବ, ସେନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା।
ପ୍ରସ୍ତାବିତ ଇ-ପୋର୍ଟାଲ୍ ମାଧ୍ୟମରେ ଶ୍ରୀଜଗନ୍ନାଥଙ୍କ ଜମି ଭୋଗଦଖଲ କରୁଥିବା ସେବାୟତ ଓ ଅଣସେବାୟତମାନେ ସହଜ ଓ ସରଳ ଉପାୟରେ ନିଜର ତଥ୍ୟ ପ୍ରଦାନ କରିପାରିବେ। ଏହାଦ୍ୱାରା ସମସ୍ତ ଜମି ଦଖଲକାରୀଙ୍କ ତଥ୍ୟକୁ ଗୋଟିଏ ବ୍ୟବସ୍ଥା ଅଧୀନରେ ଆଣିବା ସହ ବନ୍ଦୋବସ୍ତ ପ୍ରକ୍ରିୟାକୁ ଅଧିକ ସୁବ୍ୟବସ୍ଥିତ କରାଯାଇପାରିବ।
ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଇ-ପୋର୍ଟାଲ୍ ବ୍ୟବସ୍ଥାର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିବା ସହ ଏହାକୁ ଅଧିକ ଉପଯୋଗୀ କରିବା ନେଇ ଆବଶ୍ୟକ ପରାମର୍ଶ ଦେଇଥିଲେ। ବନ୍ଦୋବସ୍ତ ପ୍ରକ୍ରିୟାରେ ତ୍ୱରିତ କାର୍ଯ୍ୟକାରିତା ସହ ସ୍ୱଚ୍ଛତା ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପରିଚାଳକ ତଥା ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଲ ଦେବ, ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ଡ. ପବିତ୍ର ମୋହନ ସାମଲ ଓ ଅତିରିକ୍ତ ଶାସନ ସଚିବ ଶିବପ୍ରସାଦ ମହାପାତ୍ର ଯୋଗ ଦେଇଥିଲେ।
ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଆଭାସି ମାଧ୍ୟମରେ ବୈଠକରେ ସାମିଲ ହୋଇଥିବାବେଳେ ଓକାକ୍ ଓ ଏନ୍ଆଇସିର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।
