ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍କୁଲରେ ବିଦ୍ୟୁତ ସଂଯୋଗ କାଟିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଥିବା ସ୍କୁଲଗୁଡ଼ିକୁ ତୁରନ୍ତ ବିଦ୍ୟୁତ ଯୋଗାଣ ସ୍ୱାଭାବିକ କରିବା ପାଇଁ ସମ୍ପୃକ୍ତ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ କୁହାଯାଇଥିବା ସେ ସୂଚନା ଦେଇଛନ୍ତି।
ମନ୍ତ୍ରୀଙ୍କ କହିବା ଅନୁସାରେ, କିଛି ସ୍କୁଲରେ ଇତିମଧ୍ୟରେ ବିଦ୍ୟୁତ ସଂଯୋଗ ପୁନଃସ୍ଥାପିତ କରାଯାଇଛି। ଯେଉଁ ସ୍କୁଲଗୁଡ଼ିକରେ ଏବେ ବି ବିଦ୍ୟୁତ ସଂଯୋଗ ହୋଇନାହିଁ, ସେଠାରେ ଖୁବଶୀଘ୍ର ସଂଯୋଗ ଦେବାକୁ ନିର୍ଦ୍ଦେଶ ରହିଛି।
ଏହାସହ ବକେୟା ବିଦ୍ୟୁତ ବିଲ୍ ପୈଠକୁ ନେଇ ମଧ୍ୟ ପଦକ୍ଷେପ ନିଆଯାଇଛି। ସ୍କୁଲଗୁଡ଼ିକର ବିଦ୍ୟୁତ ବିଲ୍ ପୈଠ କରିବା ପାଇଁ ବ୍ଲକ୍ ଶିକ୍ଷା ଅଧିକାରୀ (BEO)ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି।
ସ୍କୁଲରେ ବିଦ୍ୟୁତ ଯୋଗାଣ ଯେପରି ବାଧାପ୍ରାପ୍ତ ନହୁଏ, ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗୀୟ ସ୍ତରରେ ନିର୍ଦ୍ଦେଶ ଦିଆଯାଇଛି।
ନିତ୍ୟାନନ୍ଦ ଗଣ୍ଡ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ
