ରାଜନୀତି ରାଜ୍ୟ ଲାଇଫ ଷ୍ଟାଇଲ ସାମାଜିକ ସ୍ୱତନ୍ତ୍ର

ଜ୍ଞାନେଶ କୁମାର ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ: ବିଜେଡି

Spread the love

ଭୁବନେଶ୍ୱର: ଫର୍ମ-୬ ଏବଂ ଭୋଟର ତାଲିକା ସଂଶୋଧନ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ନିର୍ବାଚନ କମିଶନ ଓ ବିଜେପି ଉପରେ ବର୍ଷିଛି ବିଜେଡି। ଏହି ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ନୈତିକତା ଦୃଷ୍ଟିରୁ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଦଳ ଦାବି କରିଛି।

ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ଫର୍ମ-୬କୁ ନେଇ ସୁପ୍ରିମକୋର୍ଟଙ୍କ ମନ୍ତବ୍ୟ ପରେ ନିର୍ବାଚନ କମିଶନର ପଦକ୍ଷେପ ଉପରେ ପ୍ରଶ୍ନ ଉଠିଛି। ଫର୍ମ-୬ରେ ପରିବର୍ତ୍ତନ ଓ ନୂଆ ଭୋଟରଙ୍କୁ ଯୋଡ଼ିବା ପ୍ରକ୍ରିୟା ସମ୍ପର୍କରେ ନିର୍ବାଚନ କମିଶନ ନିଜ ଅଧିକାର ସୀମା ବାହାରକୁ ଯାଇଥିବା ସେ ଅଭିଯୋଗ କରିଛନ୍ତି।

SIR ପ୍ରକ୍ରିୟାକୁ ନେଇ ମଧ୍ୟ ବିଜେଡି ଗୁରୁତର ଅଭିଯୋଗ ଆଣିଛି। ଓଡ଼ିଶାରେ ପ୍ରାୟ ୨୭ ଲକ୍ଷ ୫୦ ହଜାର ଏବଂ ଦେଶରେ ପ୍ରାୟ ୧୩ କୋଟି ଭୋଟରଙ୍କ ନାମ ପ୍ରଭାବିତ ହୋଇଥିବା ଦଳ ଦାବି କରିଛି। AI ଟୁଲ୍ ବ୍ୟବହାର କରି ବହୁ ସଂଖ୍ୟାରେ ନାମ ବାଦ୍ ଦିଆଯାଇଥିବା ଅଭିଯୋଗ କରି ଏହାକୁ ବିଜେଡି ‘ସମ୍ବିଧାନ ବିରୋଧୀ’ ବୋଲି କହିଛି।

ପ୍ରଥମ ଥର ଭୋଟ୍ ଦେବାକୁ ଯାଉଥିବା ଯୁବ ଭୋଟରଙ୍କୁ ବିଭିନ୍ନ ପ୍ରଶ୍ନ କରାଯାଇ ଭୋଟର ତାଲିକାରୁ ବାଦ୍ ଦିଆଯାଇଥିବା ମଧ୍ୟ ଲେଖାଶ୍ରୀ ଅଭିଯୋଗ କରିଛନ୍ତି। ଫର୍ମ-୬ରେ ପରିବର୍ତ୍ତନ ଜରିଆରେ ଜେନ୍‌-ଜି ଭୋଟରଙ୍କୁ ନିର୍ବାଚନ ପ୍ରକ୍ରିୟାରୁ ଦୂରେଇ ରଖିବାକୁ ଯୋଜନାବଦ୍ଧ ଉଦ୍ୟମ ହୋଇଥିବା ମଧ୍ୟ ସେ ଦାବି କରିଛନ୍ତି।

୧୮ ବର୍ଷ ବୟସ ପୂରଣ କରିଥିବା ଭାରତୀୟ ନାଗରିକଙ୍କର ଭୋଟ୍ ଦେବାର ଅଧିକାର ରହିଛି। ଯେଉଁମାନଙ୍କ ନାମ ଭୋଟର ତାଲିକାରୁ ବାଦ୍ ପଡ଼ିଛି, ସେମାନଙ୍କ ସମ୍ପର୍କରେ ସରକାର ଓ ନିର୍ବାଚନ କମିଶନ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ବିଜେଡି ଦାବି କରିଛି। ବିଜେପିକୁ ନିର୍ବାଚନୀ ଫାଇଦା ଦେବା ପାଇଁ ଏହା ଏକ ବଡ଼ ଷଡ଼ଯନ୍ତ୍ର ବୋଲି ମଧ୍ୟ ଲେଖାଶ୍ରୀ ଅଭିଯୋଗ କରିଛନ୍ତି।

ଅନ୍ୟପଟେ ବିଜେଡି ମୁଖପାତ୍ର ଲେଲିନ ମହାନ୍ତି କହିଛନ୍ତି, ଫର୍ମ-୬ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ସ୍ପଷ୍ଟୀକରଣ ପରେ ନିର୍ବାଚନ କମିଶନ ପୂର୍ବରୁ ରଖିଥିବା ମନ୍ତବ୍ୟର ସତ୍ୟତା ଉପରେ ପ୍ରଶ୍ନ ଉଠିଛି। ଏହାଦ୍ୱାରା କୋଟି କୋଟି ଭୋଟର ହଇରାଣ ହୋଇଥିବା ସେ ଅଭିଯୋଗ କରିଛନ୍ତି।

୨୦୨୪ ଓଡ଼ିଶା ନିର୍ବାଚନକୁ ନେଇ ମଧ୍ୟ ଲେଲିନ ମହାନ୍ତି EVM ଟାମ୍ପରିଂ ସନ୍ଦେହ ଉଠାଇଛନ୍ତି। ତେବେ ଏହା ବିଜେଡିର ଅଭିଯୋଗ ଏବଂ ଏହାର ସମର୍ଥନରେ ସେ କୌଣସି ପ୍ରମାଣ ଉଲ୍ଲେଖ କରିନାହାନ୍ତି। ନିର୍ବାଚନ କମିଶନର ଭୂମିକା ଭୋଟରଙ୍କୁ ମତଦାନର ସୁଯୋଗ ଦେବା, ସେମାନଙ୍କ ନାମ ବାଦ୍ ଦେବା ନୁହେଁ ବୋଲି କହି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିକୁ ଦଳ ଦୋହରାଇଛି।

ବାଇଟ୍: ଲେଖାଶ୍ରୀ ସାମନ୍ତସିଂହାର, ବିଜେଡି ନେତ୍ରୀ
ବାଇଟ୍: ଲେଲିନ ମହାନ୍ତି, ବିଜେଡି ମୁଖପାତ୍ର

Leave a Reply

Your email address will not be published. Required fields are marked *