ଭୁବନେଶ୍ୱର: ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଛି ବିଗୁଲ। ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ, ସରକାରୀ ସ୍ୱୟଂଶାସିତ କଲେଜ ଏବଂ ବେସରକାରୀ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି। ଅକ୍ଟୋବର ୧୫ ତାରିଖରେ ମତଦାନ ହେବା ସହ ସେହିଦିନ ଫଳାଫଳ ଘୋଷଣା କରାଯିବ।
ନିର୍ବାଚନ କାର୍ଯ୍ୟସୂଚୀ ଅନୁସାରେ, ଅକ୍ଟୋବର ୭ ତାରିଖରେ ବିଭିନ୍ନ କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇବ। ଅକ୍ଟୋବର ୯ ତାରିଖରେ ପ୍ରାର୍ଥୀମାନେ ସକାଳ ୧୦ଟାରୁ ଦିନ ୧ଟା ମଧ୍ୟରେ ନାମାଙ୍କନପତ୍ର ଦାଖଲ କରିବେ। ସେହିଦିନ ନାମାଙ୍କନପତ୍ର ଯାଞ୍ଚ କରାଯିବା ସହ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ।
ଅକ୍ଟୋବର ୧୦ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ସୁଯୋଗ ରହିବ। ପ୍ରତ୍ୟାହାର ସମୟସୀମା ଶେଷ ହେବା ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ।
ଅକ୍ଟୋବର ୧୪ ତାରିଖରେ କ୍ୟାମ୍ପସଗୁଡ଼ିକରେ ‘ମୁଁ କାହିଁକି ପ୍ରାର୍ଥୀ ହୋଇଛି’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ପ୍ରାର୍ଥୀମାନେ ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ନିଜର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ନିର୍ବାଚନୀ ପ୍ରତିଶ୍ରୁତି ରଖିବେ।
ଅକ୍ଟୋବର ୧୫ ତାରିଖ ସକାଳ ୮ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯିବ। ମତଦାନ ଶେଷ ହେବା ପରେ ଭୋଟ୍ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ।
ଦୀର୍ଘ ବ୍ୟବଧାନ ପରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ପୁଣିଥରେ କଲେଜ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ରାଜନୈତିକ ଉଷ୍ମତା ବଢ଼ିବାକୁ ଯାଉଛି।
