ଭୁବନେଶ୍ୱର: ଗୁପଚୁପ ପ୍ରେମୀଙ୍କ ପାଇଁ ସତର୍କ ଘଣ୍ଟି। ରାଜଧାନୀରେ ଗୁପଚୁପ ପ୍ରସ୍ତୁତିର ଅସ୍ୱାସ୍ଥ୍ୟକର ଚିତ୍ର ସାମ୍ନାକୁ ଆସିଛି। ଭୁବନେଶ୍ୱରର ଖାରବେଳ ନଗର ମାଳିସାହି ମସଜିଦ କଲୋନି ଅଞ୍ଚଳରେ ଗୁପଚୁପ ପ୍ରସ୍ତୁତ କରାଯାଉଥିବା ସ୍ଥାନଗୁଡ଼ିକରେ ବିଏମସିର ଖାଦ୍ୟ ସୁରକ୍ଷା ବିଭାଗର ୮ ଜଣିଆ ଟିମ୍ ଚଢ଼ାଉ କରିଛି।
ଚଢ଼ାଉ ସମୟରେ ଗୁପଚୁପ ପ୍ରସ୍ତୁତ ହେଉଥିବା ସ୍ଥାନର ପରିବେଶ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ଥିବା ଅଭିଯୋଗ ସାମ୍ନାକୁ ଆସିଛି। ପାନ ଓ ଗୁଟଖା ଛେପ ପଡ଼ୁଥିବା ସ୍ଥାନ ନିକଟରେ ଗୁପଚୁପ ପ୍ରସ୍ତୁତ କରାଯାଉଥିବା ସହ ପୋକ ଓ ମାଛି ଥିବା ମଧ୍ୟ ଯାଞ୍ଚ ବେଳେ ଦେଖିବାକୁ ମିଳିଥିବା କୁହାଯାଇଛି।
ସେହିପରି ପୋଡ଼ା ତେଲରେ ଗୁପଚୁପ ଛଣାଯାଉଥିବା ଏବଂ ବାସି କିମ୍ବା ପଚା ଆଳୁ ବ୍ୟବହାର ହେଉଥିବା ସନ୍ଦେହରେ ଖାଦ୍ୟ ସୁରକ୍ଷା ଟିମ୍ ଗୁପଚୁପ ଜବତ କରିଛି। ଯାଞ୍ଚ ପାଇଁ ପୋଡ଼ା ତେଲ, ଲଙ୍କାଗୁଣ୍ଡ ଓ ପାଣିର ନମୁନା ସଂଗ୍ରହ କରାଯାଇଛି। ପରୀକ୍ଷା ରିପୋର୍ଟ ଆସିବା ପରେ ଏନେଇ ଅଧିକ ସ୍ପଷ୍ଟତା ଆସିବ।
ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତ କରୁଥିବା ଅଭିଯୋଗରେ ୭ ଜଣଙ୍କୁ ନୋଟିସ୍ କରାଯାଇଥିବାବେଳେ ସମ୍ପୃକ୍ତ ସ୍ଥାନଗୁଡ଼ିକରେ ଗୁପଚୁପ ପ୍ରସ୍ତୁତି ଉପରେ ରୋକ୍ ଲଗାଯାଇଛି।
ଏଥିସହ କେତେକ ସ୍ଥାନରେ ଆବଶ୍ୟକ ଫୁଡ୍ ଲାଇସେନ୍ସ ବିନା ଗୁପଚୁପ ପ୍ରସ୍ତୁତ କରାଯାଉଥିବା ଯାଞ୍ଚ ବେଳେ ସାମ୍ନାକୁ ଆସିଥିବା କୁହାଯାଇଛି। ସଂଗୃହୀତ ଖାଦ୍ୟ ନମୁନାର ପରୀକ୍ଷା ରିପୋର୍ଟକୁ ଏବେ ଅପେକ୍ଷା କରାଯାଇଛି।
