ଭୁବନେଶ୍ୱର, ୧୯ ସେପ୍ଟେମ୍ବର: ଆଗାମୀ ପାର୍ବଣକୁ ଦୃଷ୍ଟିରେ ରଖି ଅପରାଧୀ ଓ ଅସାମାଜିକଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଓଡ଼ିଶା ପୋଲିସ। ରାଜ୍ୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଓ ଅପରାଧ ନିୟନ୍ତ୍ରଣ ପାଇଁ ସେପ୍ଟେମ୍ବର ୨୧ରୁ ରାଜ୍ୟବ୍ୟାପୀ ସ୍ୱତନ୍ତ୍ର ‘ଦମନ’ ଅଭିଯାନ ଆରମ୍ଭ ହେବ। ଏହି ଅଭିଯାନ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ।
ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ଜାରି ପ୍ରେସ୍ ନୋଟ୍ ଅନୁଯାୟୀ, ‘ଦମନ’ ଅଭିଯାନ ସମୟରେ ଅପରାଧୀ ଓ ଅସାମାଜିକ ବ୍ୟକ୍ତିଙ୍କ ଗତିବିଧି ଉପରେ ପୋଲିସ କଡ଼ା ନଜର ରଖିବ। ଜାମିନ ବିହୀନ ଗିରଫ ପରୱାନାଗୁଡ଼ିକୁ କାର୍ଯ୍ୟକାରୀ କରାଯିବା ସହ ପ୍ରତିଷେଧମୂଳକ ଆଇନଗତ ପଦକ୍ଷେପକୁ ଗୁରୁତ୍ୱ ଦିଆଯିବ। ବେଆଇନ କାର୍ଯ୍ୟକଳାପ ବିରୋଧରେ ଚଢ଼ାଉ ଓ ଗିରଫଦାରୀ ମଧ୍ୟ ଜୋରଦାର କରାଯିବ।
ବିଶେଷ କରି ବେଆଇନ ମଦ କାରବାର, ନିଶାଦ୍ରବ୍ୟ ଚାଲାଣ, ବେଆଇନ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ କାରବାର ଉପରେ ସ୍ୱତନ୍ତ୍ର ନଜର ରହିବ। ବଳପୂର୍ବକ ଚାନ୍ଦା ଆଦାୟ ଓ ସଂଗଠିତ ଅପରାଧ ବିରୋଧରେ ମଧ୍ୟ କଡ଼ା ଆଇନଗତ ପଦକ୍ଷେପ ନିଆଯିବ।
ଅପରାଧୀଙ୍କ ଚଳପ୍ରଚଳ ରୋକିବା ପାଇଁ ସୀମାନ୍ତ ଅଞ୍ଚଳରେ ବ୍ଲକିଂ ଓ ବର୍ଡର ସିଲିଂ କରାଯିବ। ଜିଲ୍ଲା ପୋଲିସ, ରେଳବାଇ ପୋଲିସ, କମିଶନରେଟ୍ ପୋଲିସ ସମେତ ବିଭିନ୍ନ ପୋଲିସ ୟୁନିଟ୍ ପରସ୍ପର ସମନ୍ୱୟରେ ଏହି ଅଭିଯାନକୁ କାର୍ଯ୍ୟକାରୀ କରିବେ।
ପାର୍ବଣ ସମୟରେ ରାଜ୍ୟବାସୀଙ୍କ ସୁରକ୍ଷା ସହ ଶାନ୍ତିପୂର୍ଣ୍ଣ ପରିବେଶ ସୁନିଶ୍ଚିତ କରିବା ଏବଂ ଅପରାଧ ଉପରେ ଲଗାମ ଲଗାଇବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।
