‘କିଛି ଲୋକ ରାତାରାତି ଅର୍ଥନୀତିଜ୍ଞ ହୋଇଯାଉଛନ୍ତି’
ଭୁବନେଶ୍ୱର: UPI କାରବାର ଉପରେ ନୂଆ ମର୍ଚ୍ଚାଣ୍ଟ ଡିସ୍କାଉଣ୍ଟ ରେଟ୍ (MDR)କୁ ନେଇ ବିଜେଡି ରାଜ୍ୟସଭା ସାଂସଦ ସନ୍ତୃପ୍ତ ମିଶ୍ର ଉଠାଇଥିବା ପ୍ରଶ୍ନର ଜବାବ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।
UPI ଉପରେ ଚାର୍ଜକୁ ନେଇ ବିଜେଡିର ଆପତ୍ତି ସମ୍ପର୍କରେ ପ୍ରତିକ୍ରିୟା ଦେଇ ପୃଥ୍ୱୀରାଜ କହିଛନ୍ତି, “କିଛି ଲୋକ ରାତାରାତି ଅର୍ଥନୀତିଜ୍ଞ ହୋଇଯାଉଛନ୍ତି। ନିଜକୁ ଅର୍ଥନୀତିଜ୍ଞ ଭାବି ଯାହା ପାଉଛନ୍ତି ତାହା କହୁଛନ୍ତି।”
ନୂଆ ବ୍ୟବସ୍ଥା ଅନୁସାରେ ୨ ହଜାର ଟଙ୍କାରୁ ଅଧିକ ନିର୍ଦ୍ଦିଷ୍ଟ Person-to-Merchant (P2M) UPI କାରବାର ଉପରେ ୦.୪ ପ୍ରତିଶତ MDR ଲାଗୁ ହେବ। ଏହି ଚାର୍ଜ ଗ୍ରାହକଙ୍କ ଉପରେ ନୁହେଁ, ସମ୍ପୃକ୍ତ ବ୍ୟବସାୟୀଙ୍କ ଉପରେ ଲାଗୁ ହେବ। Person-to-Person UPI କାରବାର ପୂର୍ବଭଳି ମାଗଣା ରହିବ। ନୂଆ ବ୍ୟବସ୍ଥା ଅକ୍ଟୋବର ୧୫ରୁ ଲାଗୁ ହେବ।
ପୃଥ୍ୱୀରାଜଙ୍କ କହିବା ଅନୁସାରେ, ବ୍ୟାଙ୍କିଙ୍ଗ ଓ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାକୁ ଅଧିକ ମଜଭୁତ କରିବା ପାଇଁ କିଛି ଚାର୍ଜ ଆବଶ୍ୟକ। ଏହି ବ୍ୟବସ୍ଥା ଯୋଗୁଁ କ୍ଷୁଦ୍ର କିମ୍ବା ବଡ଼ ବ୍ୟବସାୟୀଙ୍କ ଉପରେ ବିଶେଷ ପ୍ରଭାବ ପଡ଼ିବ ନାହିଁ ଏବଂ ଡିଜିଟାଲ ପେମେଣ୍ଟ ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ନଥିବା ସେ ଦାବି କରିଛନ୍ତି।
ଅନ୍ୟପଟେ ବିଜେଡି ସାଂସଦ ସନ୍ତୃପ୍ତ ମିଶ୍ର ନୂଆ MDR ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ୨ ହଜାର ଟଙ୍କାର ସୀମା କେଉଁ ଆଧାରରେ ଧାର୍ଯ୍ୟ କରାଗଲା ଏବଂ ଏହା କ୍ଷୁଦ୍ର ବ୍ୟବସାୟୀଙ୍କ ଉପରେ କିଭଳି ପ୍ରଭାବ ପକାଇବ, ସେନେଇ କେନ୍ଦ୍ର ସରକାର ସ୍ପଷ୍ଟତା ଦିଅନ୍ତୁ ବୋଲି ସେ କହିଛନ୍ତି।
ପୃଥ୍ୱୀରାଜ ହରିଚନ୍ଦନ, ଆଇନ ମନ୍ତ୍ରୀ
