Spread the love

କେପ୍‌ଟାଉନ୍‌ରେ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘର ୬୯ତମ ଅଧିବେଶନରେ ଯୋଗଦାନ

ଭାରତର ଦୃଷ୍ଟିକୋଣ ବିକାଶ ଓ ସ୍ଥିରତାକୁ ସାଙ୍ଗରେ ନେଇ ଆଗକୁ ବଢ଼ିବା: ବାଚସ୍ପତି

ଭୁବନେଶ୍ୱର, ୧୭ ସେପ୍ଟେମ୍ବର ୨୦୨୬: ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇ କେପ୍‌ଟାଉନ୍‌ଠାରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘର ୬୯ତମ ଅଧିବେଶନରେ ଯୋଗଦେଇଛନ୍ତି। କେପ୍‌ଟାଉନ୍‌ ଅନ୍ତର୍ଜାତୀୟ ସମ୍ମିଳନୀ କେନ୍ଦ୍ରରେ ଆୟୋଜିତ ଏହି ସମ୍ମିଳନୀରେ ୫୬ଟି ଦେଶର ବାଚସ୍ପତି, ମନ୍ତ୍ରୀ, ସାଂସଦ, ବିଧାୟକ, ସଚିବଙ୍କ ସମେତ ବିଭିନ୍ନ ଦେଶର ପ୍ରତିନିଧି ଯୋଗଦେଇଛନ୍ତି।

ଅଧିବେଶନକୁ ସମ୍ବୋଧିତ କରି ବାଚସ୍ପତି ଶ୍ରୀମତୀ ପାଢ଼ୀ କହିଛନ୍ତି, ଭାରତର ଦୃଷ୍ଟିକୋଣ ହେଉଛି ବିକାଶ ଏବଂ ସ୍ଥିରତାକୁ ସାଙ୍ଗରେ ନେଇ ଆଗକୁ ବଢ଼ିବା। ବିକାଶ ଓ ଜଳବାୟୁ ସ୍ଥିରତାକୁ ପୃଥକ ଭାବେ ଦେଖାଯାଇପାରିବ ନାହିଁ। କୃଷି, ଜଳ, ଶକ୍ତି, ସ୍ୱାସ୍ଥ୍ୟ, ସହରାଞ୍ଚଳ, ଭିତ୍ତିଭୂମି, ଜଙ୍ଗଲ, ଉପକୂଳ ଏବଂ ବିପର୍ଯ୍ୟୟ ପରିଚାଳନା ସହ ଜଳବାୟୁ ସମସ୍ୟା ଅଙ୍ଗାଙ୍ଗୀ ଭାବେ ଜଡ଼ିତ ବୋଲି ସେ କହିଛନ୍ତି।

ଜଳବାୟୁ ସ୍ଥିରତା ବିକାଶର ଏକ ଅବିଚ୍ଛେଦ୍ୟ ଅଂଶ ହୋଇଥିବାରୁ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନର ମୁକାବିଲା ସମନ୍ୱିତ ଭାବେ କରାଯିବା ଆବଶ୍ୟକ। ସ୍ୱଚ୍ଛ ଶକ୍ତି, ଶକ୍ତି କ୍ଷେତ୍ରରେ ଦକ୍ଷତା ଓ ଉନ୍ନତ ବର୍ଜ୍ୟ ପରିଚାଳନା ମାଧ୍ୟମରେ ଜଳବାୟୁ ସୁରକ୍ଷା ସହ ଜନସ୍ୱାସ୍ଥ୍ୟ ଏବଂ ଜୀବନର ଗୁଣବତ୍ତାରେ ଉନ୍ନତି ଅଣାଯାଇପାରିବ ବୋଲି ବାଚସ୍ପତି ମତ ରଖିଛନ୍ତି।

ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟର ଅନୁଭବ ସମ୍ପର୍କରେ ଉଲ୍ଲେଖ କରି ଶ୍ରୀମତୀ ପାଢ଼ୀ କହିଛନ୍ତି ଯେ, ପ୍ରାରମ୍ଭିକ ସତର୍କତା ବ୍ୟବସ୍ଥା, ଘୂର୍ଣ୍ଣିଝଡ଼ ଆଶ୍ରୟସ୍ଥଳ, ସ୍ଥାନାନ୍ତର ବ୍ୟବସ୍ଥା, ସାଂଗଠନିକ ସମନ୍ୱୟ ଓ ଗୋଷ୍ଠୀ ସମ୍ପୃକ୍ତି ଯୋଗୁଁ ରାଜ୍ୟ ବିପର୍ଯ୍ୟୟର ପ୍ରତିକୂଳତାକୁ ସଫଳତାର ସହ ମୁକାବିଲା କରିପାରିଛି।

ଜଳବାୟୁ ପରିବର୍ତ୍ତନ କେବଳ ପରିବେଶଗତ କିମ୍ବା ବୈଜ୍ଞାନିକ ଆହ୍ୱାନ ନୁହେଁ। ଏଥିପାଇଁ ଆଇନ, ବଜେଟ୍‌, ତଦାରଖ, ଉତ୍ତରଦାୟିତ୍ୱ ଏବଂ ଗୋଷ୍ଠୀ ସହଭାଗିତାର ମଧ୍ୟ ଗୁରୁତ୍ୱ ରହିଛି। ଆଜିର ବିକାଶମୂଳକ ନିଷ୍ପତ୍ତି ଯେପରି ଭବିଷ୍ୟତରେ ସମାଜକୁ ଅଧିକ ସୁରକ୍ଷିତ କରିବା ସହ ଲୋକଙ୍କ ଜୀବନ, ଜୀବିକା ଏବଂ ଆଗାମୀ ପିଢ଼ିର ଭବିଷ୍ୟତକୁ ସୁନିଶ୍ଚିତ କରିବ, ସେ ଦିଗରେ ସଂସଦର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।

ସେପ୍ଟେମ୍ବର ୧୪ରୁ ୧୭ ପର୍ଯ୍ୟନ୍ତ ଚାଲିଥିବା ଏହି ଚାରିଦିନିଆ ସମ୍ମିଳନୀରେ ରାଜ୍ୟସଭା ଉପାଧ୍ୟକ୍ଷ ଶ୍ରୀ ହରିବଂଶ ନାରାୟଣ ସିଂହଙ୍କ ନେତୃତ୍ୱରେ ୧୭ଟି ରାଜ୍ୟର ବାଚସ୍ପତିଙ୍କ ସମେତ ୨୦୦ରୁ ଅଧିକ ପ୍ରତିନିଧି ଯୋଗଦେଇଛନ୍ତି।

ଏହି ଅବସରରେ ଶ୍ରୀମତୀ ପାଢ଼ୀ ରାଜ୍ୟଗୋଷ୍ଠୀ ମହିଳା ସଂସଦର କାର୍ଯ୍ୟକ୍ରମରେ ଯୋଗଦେବା ସହ ସଂସଦୀୟ ବ୍ୟବସ୍ଥାରେ ଦିବ୍ୟାଙ୍ଗମାନଙ୍କ ଅଂଶଗ୍ରହଣ ସମ୍ପର୍କିତ ଆଲୋଚନାରେ ମଧ୍ୟ ଭାଗ ନେଇଥିଲେ।

ସମ୍ମିଳନୀରେ ଓଡ଼ିଶା ବିଧାନସଭା ଉପବାଚସ୍ପତି ଶ୍ରୀ ଭବାନୀଶଙ୍କର ଭୋଇ ଏବଂ ବିଧାନସଭା ସଚିବ ଶ୍ରୀ ସତ୍ୟବ୍ରତ ରାଉତ ପ୍ରମୁଖ ମଧ୍ୟ ଯୋଗଦେଇଛନ୍ତି।

Leave a Reply

Your email address will not be published. Required fields are marked *