ଭୁବନେଶ୍ୱର: ରାଜଧାନୀରେ ପୂଜା, କଲେଜ ନିର୍ବାଚନ ଏବଂ ଓଡ଼ିଶା ବନ୍ଦକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି କମିଶନରେଟ ପୋଲିସ। ପୂଜା ସମୟରେ ଭିଡ଼ ନିୟନ୍ତ୍ରଣଠାରୁ ଆରମ୍ଭ କରି ଚୋରି, ଛିନତାଇ, ଦାଦାବଟି ଓ ଅନ୍ୟାନ୍ୟ ଅପରାଧ ରୋକିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେହିପରି କଲେଜ ନିର୍ବାଚନ ଓ ଓଡ଼ିଶା ବନ୍ଦ ପାଇଁ ମଧ୍ୟ ପୋଲିସ ଅଲଗା ରଣନୀତି ପ୍ରସ୍ତୁତ କରିଛି।
ରାଜଧାନୀର ୧୯୮ ସ୍ଥାନରେ ପୂଜା ପେଣ୍ଡାଲ
ରାଜଧାନୀରେ ମୋଟ ୧୯୮ଟି ସ୍ଥାନରେ ପୂଜା ପେଣ୍ଡାଲ ହେବାକୁ ଥିବାବେଳେ ସମସ୍ତ ପେଣ୍ଡାଲକୁ ପୋଲିସ ପକ୍ଷରୁ ବର୍ଗୀକରଣ କରାଯାଇଛି। ଅଧିକ ଜନସମାଗମ ହେଉଥିବା ପୂଜା ପେଣ୍ଡାଲଗୁଡ଼ିକ ଉପରେ ବିଶେଷ ଫୋକସ୍ ରହିବ।
ସୁରକ୍ଷା ପାଇଁ ଫୁଟ୍ ପାଟ୍ରୋଲିଂ, ବାଇକ୍ ପାଟ୍ରୋଲିଂ ଓ ପିସିଆର୍ ପାଟ୍ରୋଲିଂକୁ ଗୁରୁତ୍ୱ ଦିଆଯାଇଛି। ପୂଜା ପେଣ୍ଡାଲରେ ସିସିଟିଭି ଲଗାଇବାକୁ ବାଧ୍ୟତାମୂଳକ କରାଯାଇଥିବାବେଳେ ଚେନ୍ ଛିନତାଇ ଓ ଚୋରି ରୋକିବାକୁ ପୋଲିସ ବିଶେଷ ନଜର ରଖିବ। ସିସିଟିଭି ଜରିଆରେ ନଜରଦାରି ସହ ସାଧା ପୋଷାକରେ ମଧ୍ୟ ପୋଲିସ କର୍ମଚାରୀ ମୁତୟନ ରହିବେ।
ଟ୍ରାଫିକ୍ ଓ ପାର୍କିଂ ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ରାସ୍ତାରେ ଭିଡ଼ ନ ଜମାଇ ନିର୍ଦ୍ଧାରିତ ସ୍ଥାନରେ ପାର୍କିଂ କରାଇବାକୁ ପୂଜା ମଣ୍ଡପ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ରଙ୍ଗ୍ ରୁଟ୍ରେ ଗାଡ଼ି ନ ଚଳାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି।
ଅପରାଧିକ ଗତିବିଧି ଉପରେ ନଜର ରଖିବାକୁ ଥାନାସ୍ତରରେ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ଜେଲ୍ ପରେଡ୍ ଆରମ୍ଭ ହୋଇଥିବାବେଳେ ବେଲ୍ ସର୍ତ୍ତ ଅନୁସାରେ ପେସାଦାର ଅପରାଧୀଙ୍କୁ ହାଜିରା ଦେବାକୁ ନିର୍ଦ୍ଦେଶ ରହିଛି। ସୋସିଆଲ୍ ମିଡିଆ ଉପରେ ମଧ୍ୟ ପୋଲିସ ନଜର ରଖିଛି। ବନ୍ଧୁକ ପ୍ରଦର୍ଶନ କିମ୍ବା ଲୋକଙ୍କୁ ଭୟଭୀତ କରିବା ଭଳି ରିଲ୍ସ ଉପରେ କଡ଼ା ନଜର ରହିବ। ଦାଦାବଟି ଆଦାୟ ଅଭିଯୋଗ ଆସିଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।
୧୩ଟି ସ୍ଥାନରେ କଲେଜ ନିର୍ବାଚନ, କ୍ୟାମ୍ପସରେ ପୋଲିସ ପ୍ରହରା
କଲେଜ ନିର୍ବାଚନକୁ ନେଇ ମଧ୍ୟ କମିଶନରେଟ ପୋଲିସ ସଜାଗ ରହିଛି। ସିପିଙ୍କ ନିର୍ଦ୍ଦେଶକ୍ରମେ ଆଇଆଇସିମାନଙ୍କ ସହ ବୈଠକ କରାଯାଇଛି। ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ କୁଇକ୍ ରେସ୍ପନ୍ସ ଟିମ୍ ଗଠନ କରାଯାଇଛି।
ରାଜଧାନୀର ୧୩ଟି ସ୍ଥାନରେ କଲେଜ ନିର୍ବାଚନ ହେବାକୁ ଥିବାରୁ କ୍ୟାମ୍ପସଗୁଡ଼ିକରେ ପୋଲିସ ପ୍ରହରା ବଢ଼ାଯାଇଛି। ଅଣଛାତ୍ରଙ୍କୁ ସତର୍କ କରାଯାଉଥିବାବେଳେ ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ନିର୍ବାଚନ ସମୟରେ ବିଶୃଙ୍ଖଳା ସୃଷ୍ଟି କିମ୍ବା ସୋସିଆଲ୍ ମିଡିଆର ଦୁର୍ବ୍ୟବହାର ଉପରେ ପୋଲିସର କଡ଼ା ନଜର ରହିବ। ଏନେଇ କଲେଜ କର୍ତ୍ତୃପକ୍ଷଙ୍କ ସହ ପୋଲିସ ନିୟମିତ ଯୋଗାଯୋଗରେ ରହିଛି।
ଓଡ଼ିଶା ବନ୍ଦ ପାଇଁ ୧୮ ପ୍ଲାଟୁନ୍ ଫୋର୍ସ, ୧୦୦ ଅଫିସର ଆଲର୍ଟ
ଓଡ଼ିଶା ବନ୍ଦକୁ ନେଇ ମଧ୍ୟ କମିଶନରେଟ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି। ସମ୍ବେଦନଶୀଳ ଥାନା ଅଞ୍ଚଳ ସମେତ ସହରର ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ ରହିବେ।
ବନ୍ଦ ସମୟରେ ୧୦୦ ଜଣ ପୋଲିସ ଅଫିସରଙ୍କୁ ଆଲର୍ଟରେ ରଖାଯିବା ସହ ୧୮ ପ୍ଲାଟୁନ୍ ଫୋର୍ସ ସହରର ବିଭିନ୍ନ ସ୍ଥାନରେ ମୁତୟନ ହେବେ। ଆଇନଶୃଙ୍ଖଳା ପରିସ୍ଥିତି ଯେପରି ବିଗିଡ଼ିବ ନାହିଁ, ସେଥିପାଇଁ ପୋଲିସ ପକ୍ଷରୁ ବିଶେଷ ନଜରଦାରି ବ୍ୟବସ୍ଥା କରାଯାଇଛି।
