ଭୁବନେଶ୍ୱର: ଓଡ଼ିଶା ବନ୍ଦକୁ ନେଇ ବିଜେଡିର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ବକ୍ତବ୍ୟ ପରିବର୍ତ୍ତନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ପ୍ରମିଳା ପ୍ରଥମେ ବନ୍ଦକୁ ସମର୍ଥନ କରିବା ନେଇ ବକ୍ତବ୍ୟ ଦେଇଥିବା ବେଳେ ପରେ ନିଜ ଆଭିମୁଖ୍ୟ ବଦଳାଇଥିବା ପ୍ରସଙ୍ଗରେ ମନମୋହନ ତାଙ୍କୁ ଟାର୍ଗେଟ କରିଛନ୍ତି।
ମନମୋହନ କହିଛନ୍ତି, “ସତକୁ ସତ ଏବଂ ମିଛକୁ ମିଛ କହିବା ଦରକାର। ପ୍ରମିଳାଙ୍କ ସ୍ୱର କାହିଁକି ବଦଳିଲା, ସେ କଥା ପ୍ରମିଳା ହିଁ କହିପାରିବେ। ତାଙ୍କ ଉପରେ କାହାର ଚାପ ଥିଲା, ସେ କଥା ସେ ଜାଣିଥିବେ। ଏହାକୁ ବିଜେଡି ନେତାମାନେ ହିଁ ସ୍ପଷ୍ଟ କରିବେ।”
ବନ୍ଦର ପ୍ରଭାବ ବିଜେପି ଉପରେ ପଡ଼ିବ କି ନାହିଁ, ତାହା ଏକ ଭିନ୍ନ ପ୍ରସଙ୍ଗ ବୋଲି କହିଛନ୍ତି ମନମୋହନ। ତାଙ୍କ କହିବା ଅନୁସାରେ, ରାଜ୍ୟର ବିଜେପି ସରକାର ସିଧାସଳଖ ଭାବେ ନିଜ କାର୍ଯ୍ୟ କରୁଛି।
ଏଥିସହ ବିରୋଧୀ ଦଳଗୁଡ଼ିକ ଏକଜୁଟ ହେବାକୁ ସେ ସ୍ୱାଗତ କରିଛନ୍ତି। “ଆମେ ଚାହୁଁଛୁ ବିରୋଧୀ ଏକଜୁଟ ହୁଅନ୍ତୁ, ବିରୋଧୀ ଶକ୍ତିଶାଳୀ ହୁଅନ୍ତୁ ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥା ଆହୁରି ମଜବୁତ ହେଉ। ସମସ୍ତ ବିରୋଧୀ ଏକାଠି ହୋଇ ଆମ ବିରୋଧରେ ଲଢ଼ନ୍ତୁ,” ବୋଲି ମନମୋହନ ସାମଲ କହିଛନ୍ତି।
